ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଇଣ୍ଡିଆ ବ୍ଲକ୍ର ଆହ୍ୱାନରେ ଆଜି ଭୁବନେଶ୍ୱରରେ ଦିନବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଣତନ୍ତ୍ର, ସମ୍ବିଧାନ ଓ ନାଗରିକଙ୍କ ଭୋଟ ଅଧିକାରର ସୁରକ୍ଷା ସହିତ ଓଡ଼ିଶାର ସ୍ୱାର୍ଥ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକୁ ନେଇ ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ଇଣ୍ଡିଆ ବ୍ଲକ୍ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି। ଆଜିର କାର୍ଯ୍ୟକ୍ରମରେ ଇଣ୍ଡିଆ ବ୍ଲକ୍ର ସମସ୍ତ ସହଯୋଗୀ ଦଳର ନେତା, କର୍ମୀ ଓ ସମର୍ଥକମାନେ ଯୋଗଦେଇଥିଲେ। ଭୁବନେଶ୍ୱରରେ ଆୟୋଜିତ ପଟୁଆରରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରି ଗଣତନ୍ତ୍ର ଓ ଭୋଟ ଅଧିକାରର ସୁରକ୍ଷା ପାଇଁ ନିଜର ଦୃଢ଼ ସଂକଳ୍ପ ପ୍ରକାଶ କରିଥିଲେ। ପଟୁଆର ପରେ ଏଜି ଛକସ୍ଥିତ ଭାରତରତ୍ନ ଡଃ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଇଣ୍ଡିଆ ବ୍ଲକ୍ର ନେତା ଓ କର୍ମୀମାନେ ସମବେତ ହୋଇଥିଲେ। ସେଠାରେ ଭାରତୀୟ ସମ୍ବିଧାନର ଧାରା ୩୨୬ରେ ନିହିତ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାରର ସାମ୍ବିଧାନିକ ବ୍ୟବସ୍ଥା ପାଠ କରାଯାଇଥିଲା। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମଶାଲ ଶୋଭାଯାତ୍ରାରେ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳଗୁଡ଼ିକର ନେତା ଓ କର୍ମୀମାନେ ଏକତ୍ରିତ ହୋଇ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦିଆଯାଇଥିବା ପ୍ରମୁଖ ଦାବିଗୁଡ଼ିକ ହେଲା—
• ଜ୍ଞାନେଶ କୁମାରଙ୍କୁ ହଟାଅ।
• ଏସ୍ଆଇଆର୍ (SIR)କୁ ପ୍ରତ୍ୟାହାର କର।
• ନିର୍ବାଚନ ଆୟୋଗ ଓ ନିର୍ବାଚନ ବ୍ୟବସ୍ଥାରେ ଆବଶ୍ୟକୀୟ ସଂସ୍କାର ଆଣ।
• ଏମ୍ଏମ୍ଡିଆର୍ (ସଂଶୋଧନ) ଆଇନ, ୨୦୨୬କୁ ରଦ୍ଦ କର।
• ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅ।
• ବନ୍ୟାଞ୍ଚଳରେ ତୁରନ୍ତ ଓ ପର୍ଯ୍ୟାପ୍ତ ସହାୟତା ପ୍ରଦାନ କର।
ଇଣ୍ଡିଆ ବ୍ଲକ୍ର ନେତାମାନେ କହିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ନାଗରିକଙ୍କ ଭୋଟ ଅଧିକାର ଓ ସମ୍ବିଧାନର ମୂଳ ମୂଲ୍ୟବୋଧ ଉପରେ ଆକ୍ରମଣକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ଭୋଟ ଅଧିକାରର ସୁରକ୍ଷା ହେଉଛି ଗଣତନ୍ତ୍ରର ସୁରକ୍ଷା ଏବଂ ଗଣତନ୍ତ୍ରର ସୁରକ୍ଷା ହେଉଛି ଦେଶର ସୁରକ୍ଷା। ସେମାନେ ଆହୁରି କହିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର, ରାଜ୍ୟର ରାଜସ୍ୱ ସ୍ୱାର୍ଥ ଏବଂ ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଅଧିକାରକୁ କ୍ଷତିଗ୍ରସ୍ତ କରୁଥିବା ଏମ୍ଏମ୍ଡିଆର୍ (ସଂଶୋଧନ) ଆଇନ, ୨୦୨୬ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଆସନ୍ତାକାଲି, ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ଇଣ୍ଡିଆ ବ୍ଲକ୍ ଓଡ଼ିଶାର ସମସ୍ତ ଜନସାଧାରଣ, ଗଣତାନ୍ତ୍ରିକ ଶକ୍ତି, ଯୁବ, ଛାତ୍ର, ମହିଳା, ଶ୍ରମିକ, କୃଷକ ଓ ସମସ୍ତ ବର୍ଗର ଲୋକଙ୍କୁ ଆହ୍ୱାନ ଜଣାଇଛି। ଆଜିର କାର୍ଯ୍ୟକ୍ରମରେ କଂଗ୍ରେସ,ସି ପି ଆଇ, ସି ପି ଆଇ (ଏମ୍) ସି ପି ଆଇ(ଏମ୍ ଏଲ)- ଲିବରେସନ, ଫରୱାର୍ଡ ବ୍ଲକ, ଏନ୍ ସି ପି (ଶରଦ ପୱାର), ସମାଜବାଦୀ ପାର୍ଟି, ଆର୍ ଜେ ଡି ଏବଂ ଜେ ଏମ୍ ଏମ୍ ସମେତ ଇଣ୍ଡିଆ ବ୍ଲକର ସମସ୍ତ ଅଂଶୀଦାର ଦଳଗୁଡ଼ିକର ନେତୃବୃନ୍ଦ ଯୋଗଦେଇଥିଲେ।





