‘ସାମ୍ବାଦିକଙ୍କ ଦାବି ପୂରଣ ନହେବା ଯାଏଁ ସଂଗ୍ରାମ ଜାରି ରହିବ’: ଓୟୁଜେ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜ୍ୟର ସାମ୍ବାଦିକମାନଙ୍କ ନ୍ୟାଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ନିଜର ଆନ୍ଦୋଳନ ଓ ସଂଗ୍ରାମ ଜାରି ରଖିବ। ଚାନ୍ଦିପୁର ବେଳାଭୂମିସ୍ଥିତ ହୋଟେଲ ଇଣ୍ଟରନ୍ୟାସନାଲ ଟୁରିଜିମ୍ ରିସୋର୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓୟୁଜେର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ଯୋଗ ଦେଇଥିବା ପ୍ରାୟ ୪୦୦ ଜଣ ସଦସ୍ୟ ଓ ପ୍ରତିନିଧି ଏକସ୍ୱରରେ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ୟୁନିଅନ୍ର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା, ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ମାନସ କୁମାର ଦତ୍ତ, ବିଜେପି ଉତ୍ତର ବାଲେଶ୍ୱର ଜିଲ୍ଲା ସଭାପତି ତଥା ପ୍ରଭାରୀ ଉମାକାନ୍ତ ମହାପାତ୍ର, ଶିଳ୍ପପତି ସଂଗ୍ରାମ କୁମାର ଦାସ ଏବଂ ଓୟୁଜେର ସାଧାରଣ ସମ୍ପାଦକ କିଶନ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରିଥିଲେ। ଅତିଥିମାନେ କହିଥିଲେ ଯେ, ଗଣତନ୍ତ୍ରରେ ଗଣମାଧ୍ୟମ ପାଉଁଶ ତଳର ନିଆଁ ଭଳି କାର୍ଯ୍ୟ କରିଥାଏ। ସାଧାରଣ ଲୋକେ ଯେତେବେଳେ ପ୍ରଶାସନ ଓ ରାଜନେତାଙ୍କ ଉପରୁ ଭରସା ହରାଇବସନ୍ତି, ସେତେବେଳେ ସାମ୍ବାଦିକମାନେ ସେମାନଙ୍କ ପାଇଁ ବିଶ୍ୱାସର ସହ ଛିଡ଼ା ହୋଇଥାନ୍ତି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରୁଥିବାରୁ ଦେଶରେ ଗଣତନ୍ତ୍ରର ମର୍ଯ୍ୟାଦା ଅକ୍ଷୁଣ୍ଣ ରହିଛି।ସମାଜ ସାମ୍ବାଦିକଙ୍କ ଉପରେ ରଖିଥିବା ବିଶ୍ୱାସ ଓ ଭରସାକୁ ବଜାୟ ରଖିବା ପ୍ରତ୍ୟେକ କାର୍ଯ୍ୟରତ ସାମ୍ବାଦିକଙ୍କ ଆଦ୍ୟ କର୍ତ୍ତବ୍ୟ ବୋଲି ସେମାନେ ମତ ଦେଇଥିଲେ। ଓୟୁଜେ କେବଳ ସାମ୍ବାଦିକଙ୍କ ଦାବି ହାସଲ ପାଇଁ ଲଢ଼େଇ କରୁନାହିଁ, ବରଂ ସାମାଜିକ ଦାୟିତ୍ୱ ପାଳନରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି ବୋଲି ସେମାନେ କହିଥିଲେ।ଯୁବ ସମାଜକୁ ସଚେତନ କରିବା, ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କୁ ସ୍ମରଣ କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ଅସ୍ମିତାର ସୁରକ୍ଷା ପାଇଁ ଓୟୁଜେ ବିଭିନ୍ନ କାର୍ଯ୍ୟକ୍ରମ କରି ରାଜ୍ୟର ଏକ ଅଗ୍ରଣୀ ସାମ୍ବାଦିକ ସଂଗଠନ ଭାବେ ସୁନାମ ଅର୍ଜନ କରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ ମଞ୍ଚ ଆବାହନ କରିଥିବା ବେଳେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ସଭାପତି ଗଙ୍ଗାଧର ରାଉତ ପ୍ରାକ୍-ଅଭିଭାଷଣ ରଖିଥିବା ବେଳେ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଓୟୁଜେ ଜୋନାଲ ସମ୍ପାଦକ ରବୀନ୍ଦ୍ର କୁମାର ମହାକୁଡ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମ ଚରଣ ପଣ୍ଡା, ବରିଷ୍ଠ ସଦସ୍ୟ ମଧୁସୂଦନ ଦାସ, ତୃପ୍ତିକାନ୍ତ ପାଢ଼ୀ, ଉତ୍କଳ ବନ୍ଧୁ ପଣ୍ଡା, ଅରୂପ କୁମାର ଦାସ, କହ୍ନେଇ ଚରଣ ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





