ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବ୍ରାଉନ୍ ସୁଗାର ଚାଲାଣ ମାମଲାରେ ଜିଲ୍ଲା ଓ ଦୌରାଜଜ୍-ତଥା ସ୍ୱତନ୍ତ୍ର ଏନ୍ଡିପିଏସ୍ ଜଜ୍ ସତ୍ୟନାରାୟଣ ମିଶ୍ର ବୁଧବାର ଜଣେ ଡ୍ରଗ୍ସ ବେପାରୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ସରକାରୀ ଓକିଲ ଭାଗୀରଥୀ ବାରିକଙ୍କ ସୂଚନା ଅନୁଯାୟୀ, ଖନ୍ତାପଡ଼ା ଥାନା ଅଧୀନ ହୀରାଟିକିରି, ପିଞ୍ଛାବଣିଆ ଅଞ୍ଚଳର ବିଜୟ କୁମାର ପଣ୍ଡା (୪୫)ଙ୍କୁ ୨୭ ମେ ୨୦୨୫ରେ ଅବକାରୀ ବିଭାଗର ଅଧିକାରୀମାନେ ୨୨୦ ଗ୍ରାମ ବ୍ରାଉନ୍ ସୁଗାର ସହ ଧରିଥିଲେ। ମାମଲାର ବିଚାର ସମୟରେ ଅଭିଯୋଗ ପକ୍ଷରୁ ୩ ଜଣ ସାକ୍ଷୀ ଏବଂ ୨୩ଟି ଦଲିଲ ପ୍ରଦର୍ଶିତ କରାଯାଇଥିଲା। ସେଗୁଡ଼ିକର ବିଚାର ପରେ କୋର୍ଟ ଅଭିଯୁକ୍ତଙ୍କୁ ଏନ୍ଡିପିଏସ୍ ଆଇନର ସମ୍ବନ୍ଧିତ ଧାରାରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।





