ବାଲେଶ୍ୱରରେ ଅନୁଷ୍ଠିତ ହେଲା ‘ସେବା ସଂକଳ୍ପ ଅଭିଯାନ’: ବିକଶିତ ଭାରତ ପାଇଁ ସାମୂହିକ ସଂକଳ୍ପ

‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’ରେ ଉତ୍ସାହର ସହ ସାମିଲ ହେଲେ ଜନସାଧାରଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ପରିପ୍ରେକ୍ଷୀରେ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ବୁଧବାର ବାଲେଶ୍ୱର ମିଶନ ପଡ଼ିଆରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏବଂ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ପ୍ରମୁଖ ଯୋଗଦେଇଥିଲେ।

ସଭାରେ ବକ୍ତାମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ‘ସେବା ସଂକଳ୍ପ ଅଭିଯାନ’ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସାମୂହିକ ସଂକଳ୍ପର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

 

ଏହି ଅବସରରେ ‘ସେବା ଜ୍ୟୋତି ଯାତ୍ରା’ ମିଶନ ପଡ଼ିଆରୁ ଆରମ୍ଭ ହୋଇ ଏଡିଏମ୍ ଛକ, ଷ୍ଟେସନ ଛକ, ଫକୀର ମୋହନ ଛକ ଓ ଫାଣ୍ଡି ଛକ ଦେଇ ପୁନର୍ବାର ମିଶନ ପଡ଼ିଆରେ ପହଞ୍ଚିଥିଲା। ଯାତ୍ରାରେ ବିଭିନ୍ନ ବର୍ଗର ଲୋକେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପରେ ମିଶନ ପଡ଼ିଆରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ କଳାକାରମାନେ ବିଭିନ୍ନ ଆକର୍ଷଣୀୟ କଳା ପରିବେଷଣ କରି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। କାର୍ଯ୍ୟକ୍ରମ ସମୟରେ ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ବିକଶିତ ଭାରତ ଗଠନ ସହ ଦେଶକୁ ବିଶ୍ୱର ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ଭାବେ ଗଢ଼ି ତୋଳିବା ଦିଗରେ ସେ ଜନସାଧାରଣଙ୍କୁ ପ୍ରେରିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.