ଛାତ୍ର ନିର୍ବାଚନକୁ ନେଇ ବାଲେଶ୍ଵର ସରଗରମ : ପ୍ରଚାର ମଇଦାନରେ ତିନି ସଂଗଠନ, ଏଫ୍‌ଏମ୍ କଲେଜରେ ବଢୁଛି ତାତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ବାଲେଶ୍ଵରର ପ୍ରମୁଖ କଲେଜଗୁଡ଼ିକରେ ନିର୍ବାଚନୀ ତାତି ବଢ଼ିବାରେ ଲାଗିଛି। ନିର୍ବାଚନ ଘୋଷଣା ପରେ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ମେଳି ଜମୁଥିବା ବେଳେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରାର୍ଥୀ ଚୟନ ଓ ପ୍ରଚାର ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବାଲେଶ୍ଵର ସହରର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ (ଏଫ୍‌ଏମ୍‌) ଓ କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟ (କେକେଏସ୍‌)ରେ ନିର୍ବାଚନ ହେଉଥିବା ବେଳେ ଏଫ୍‌ଏମ୍ କଲେଜରେ ନିର୍ବାଚନୀ ମାହୋଲ ଅଧିକ ସରଗରମ ହୋଇଛି। ଏଠାରେ ଏବିଭିପି, ବିସିଜେଡି ଓ ଏନ୍‌ଏସ୍‌ୟୁଆଇ ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ଘନଘନ ବୈଠକ ଚାଲିଛି। ଏବିଭିପି ଏଫ୍‌ଏମ୍ କଲେଜ ପାଇଁ ସମ୍ପୂର୍ଣ୍ଣ ପ୍ୟାନେଲ ଦେବାକୁ ଚୂଡ଼ାନ୍ତ ପ୍ରସ୍ତୁତି ଚଳାଇଥିବା ବେଳେ ବିସିଜେଡି ମଧ୍ୟ ଟାଣୁଆ ପ୍ରାର୍ଥୀଙ୍କ ସନ୍ଧାନରେ ରହିଛି। ଏନ୍‌ଏସ୍‌ୟୁଆଇ ମଧ୍ୟ ପଛରେ ନାହିଁ। ବିଭିନ୍ନ ସଂଗଠନରୁ ସଭାପତି ଓ ସମ୍ପାଦକ ପଦ ପାଇଁ ଏକାଧିକ ଆଶାୟୀ ବାହାରୁଥିବାରୁ କାହାକୁ ପ୍ରାର୍ଥୀ କରାଯିବ ଏବଂ କିଏ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ କରିପାରିବ, ସେନେଇ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି। ଛାତ୍ରଛାତ୍ରୀଙ୍କ ଭରସା ଜିତିବାକୁ ବିଭିନ୍ନ ସଂଗଠନ ଏବେଠାରୁ କଲେଜର ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରିବା ସହ ସମାଧାନ ପାଇଁ ନିଜ ନିଜ ପକ୍ଷରୁ ପଦକ୍ଷେପ ନେଉଛନ୍ତି। ଆଜି କ୍ୟାମ୍ପସ୍‌ରେ ତିନି ସଂଗଠନ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା। ବ୍ୟାନର ଧରି ନାରାବାଜି କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କଲେଜର ପ୍ରମୁଖ ସମସ୍ୟା ଓ ନିର୍ବାଚିତ ହେଲେ ପ୍ରାଥମିକତା ଭିତ୍ତିରେ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ। ଅନ୍ୟପକ୍ଷରେ, ନିର୍ବାଚନକୁ ନେଇ କଲେଜ କର୍ତ୍ତୃପକ୍ଷ ମଧ୍ୟ ସତର୍କ ହୋଇଛନ୍ତି। କ୍ୟାମ୍ପସ୍‌ରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅଣଛାତ୍ରଙ୍କ ପ୍ରବେଶ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି।

ଏଫ୍‌ଏମ୍ କଲେଜ ଅଧ୍ୟକ୍ଷ ରଂଜନ କୁମାର ରାୟ କହିଛନ୍ତି, ଅକ୍ଟୋବର ୮ ତାରିଖ ସୁଦ୍ଧା ପ୍ରାର୍ଥୀମାନଙ୍କ ଉପସ୍ଥାନ ପ୍ରତିଶତ ଯାଞ୍ଚ କରାଯାଇ ପ୍ରକାଶ କରାଯିବ। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ୯ ତାରିଖରୁ କଲେଜର ପଛ ଗେଟ୍ ବନ୍ଦ ରହିବ ଏବଂ କେବଳ ସାମ୍ନା ଗେଟ୍ ଖୋଲା ରହିବ। ଛାତ୍ରଛାତ୍ରୀଙ୍କୁ ଆଇ-କାର୍ଡ ଓ ଡ୍ରେସ୍‌କୋଡ୍‌କୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଏନେଇ ପୁଲିସ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି। ଦୀର୍ଘ ବର୍ଷ ପରେ ନିର୍ବାଚନ ହେଉଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ, ସେଥିପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି। ସମସ୍ତ ଛାତ୍ର ସଂଗଠନକୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବୁଝାଯାଉଛି। ନିର୍ବାଚନ ପରିଚାଳନା ପାଇଁ ଅଧ୍ୟାପକ ଅଭିଜିତ ଦାସଙ୍କ ସମେତ ଅନ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କେକେଏସ୍ କଲେଜ ଅଧ୍ୟକ୍ଷା ଝାନ୍ସୀ ଜେନା କହିଛନ୍ତି, ନିର୍ବାଚନ ପରିଚାଳନା ନେଇ ଆଜି ଏକ ବୈଠକ କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ଅଧ୍ୟାପକ ସଂଜୟ ସ’ଙ୍କ ସମେତ ଅନ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ, ଏଫ୍‌ଏମ୍ କଲେଜରେ ପ୍ରାୟ ୪୮୦୦ ଛାତ୍ରଛାତ୍ରୀ ଏବଂ କେକେଏସ୍ କଲେଜରେ ୨୧୭୫ ଛାତ୍ରଛାତ୍ରୀ ମତଦାନ କରିବେ। ଦୀର୍ଘ ୮ ବର୍ଷ ପରେ ହେଉଥିବା ଏହି ଛାତ୍ର ନିର୍ବାଚନରେ ଦୁଇ ପ୍ରମୁଖ କଲେଜରେ କେଉଁ ସଂଗଠନ କ୍ୟାମ୍ପସ୍‌ରେ ନିଜର ପ୍ରଭାବ ସ୍ଥାପନ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.