ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜିରେ ଜୟ ଲାନ୍ଥେଶ୍ୱର ନାଟ୍ୟ କଳା ପରିଷଦ ଆନୁକୂଲ୍ୟରେ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ପ୍ରଥମ ପର୍ଯ୍ୟାୟରେ ପୌରାଣିକ ନାଟକ ‘କୀଚକ ଵଧ’ ମଞ୍ଚସ୍ଥ ହୋଇଥିଲ। କୀଚକ ଭୂମିକାରେ ସଦାନନ୍ଦ ମିର୍ଦ୍ଧା, ସୈରିନ୍ଦ୍ରି- ଶ୍ୟାମସୁନ୍ଦର ମିର୍ଦ୍ଧା ଓ ଭୀମ ଭୂମିକାରେ ଅନିରୁଦ୍ଧ ମହାକୁର ଉଚ୍ଚକୋଟିର ଅଭିନୟ କରିଥିଲେ। ଏହା ପରେ ପରିଷଦ ସଭାପତି ଘାସିରାମ ଖମାରୀଙ୍କ ଅଧ୍ୟକ୍ଷତା ତଥା ଓମପ୍ରିୟ ଖମାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବଲାଙ୍ଗୀରର ଡ଼ାକ୍ତର ରୋଜାଲୀନ ମାଝୀ ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ତଥା ‘ସମନ୍ୱୟ’ ରାଜ୍ୟ ସଂଯୋଜକ ତଥା ରାଜ୍ୟ କଳା ଓ ଗବେଷଣା ପ୍ରଶିକ୍ଷଣ ପରିଷଦର ବଲାଙ୍ଗୀର ଜିଲ୍ଲା ସଭାପତି ମୀନକେତନ ପଧାନ ମୁଖ୍ୟ ବକ୍ତା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଜରଙ୍ଗଲାଲ ଜୈନ, ଶିକ୍ଷକ ତଥା ମଞ୍ଚ କଳାକାର ରୋହିତାଶ୍ବ ସୁଆର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ପଧାନ ନାଟ୍ୟ ମହୋତ୍ସବର ଆୟୋଜନ ନେଇ ପରିଷଦ କର୍ମକର୍ତ୍ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରେ ନାଟକ ପରିବେଷଣ ନେଇ ନାଟ୍ୟ ସଂସ୍ଥାଙ୍କୁ ‘ସମନ୍ୱୟ’ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗ, ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗର ଭୂମିକା ଆଦି ବିଷୟରେ ସେ ବିସ୍ତୃତ ଭାବେ ବୁଝାଇଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚିତ୍ରସେନ ଭୁଏ, ଶ୍ୟାମ ମିର୍ଦ୍ଧା ଓ ସତ୍ୟବାନ ମିର୍ଦ୍ଧାଙ୍କ ଦ୍ୱାରା ପରିବେଷିତ କରମସାନି ନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା। ଅନ୍ତିମ ପର୍ଯ୍ୟାୟରେ ଗୀତିନାଟ୍ୟ ‘ମହିଷାସୁର ବଧ’ ପରିବେଷିତ ହୋଇଥିଲା। ମହିଷାସୁର ଭୂମିକାରେ ନିମାନନ୍ଦ ଖମାରୀ, ଇନ୍ଦ୍ର- କୃଷ୍ଣଚନ୍ଦ୍ର ମାଝୀ, ବ୍ରହ୍ମା- ଟିକେନନ୍ଦ ମାଝୀ, ବିଷ୍ଣୁ- ସଞ୍ଜୟ ଦାସ, ନାରଦ- ଘାସିରାମ ଖମାରୀ, ଦୁର୍ଗା- ରବିନାରାୟଣ ମହାକୁର, ଚନ୍ଦ୍ରା- ପ୍ରଦ୍ୟୁମ୍ନ ବକୁଳ, ଶୁମ୍ଭ- ଜୟରାମ ମାଝୀ, ନିଶୁମ୍ଭ ଭୂମିକାରେ ପପୁ ମାଝୀ ଅବତୀର୍ଣ୍ଣ ହୋଇଥିଲେ। ଶେଷରେ ସମ୍ପାଦକ ସଦାନନ୍ଦ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ।





