ଓଡ଼ିଆ ଭାଷାବିକାଶ ଆନ୍ଦୋଳନ ପକ୍ଷରୁ ଉନ୍ମୋଚିତ ହେଲା ‘ଶ୍ରୀପ୍ରଦୀପଙ୍କ ନିର୍ବାଚିତ ଗଳ୍ପ’

ଅବହେଳିତ ଓ ନିଷ୍ପେଷିତ ମଣିଷଙ୍କ ଜୀବନ ଗଳ୍ପର ମୁଖ୍ୟ ଆଧାର, କହିଲେ ଅତିଥି

ଓଡ଼ିଶା ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ବରିଷ୍ଠ କଥାକାର ପ୍ରଦୀପ ଚାଟ୍ଟାର୍ଜୀ (ଶ୍ରୀପ୍ରଦୀପ)ଙ୍କ ଗଳ୍ପ ସଂକଳନ ‘ଶ୍ରୀପ୍ରଦୀପଙ୍କ ନିର୍ବାଚିତ ଗଳ୍ପ’ ଗୁରୁବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ଅନୁଷ୍ଠାନର ଉପସଭାପତି ତଥା ଗାଳ୍ପିକ ନିବାରଣ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ଅନୁଷ୍ଠାନର ଅନ୍ୟତମ ଉପସଭାପତି ତଥା ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ରାଉତ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ। ଅତିଥି ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାରସ୍ୱତ ସାଧକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, କବି ଦୀପକ ବୋଷ ଏବଂ ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଗବେଷକ ମାନସ କୁମାର ସେନାପତି ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ଶ୍ରୀ ଚାଟ୍ଟାର୍ଜୀଙ୍କ ଗଳ୍ପଗୁଡ଼ିକ ସାମ୍ୟବାଦୀ ଚେତନା ଓ ସାମାଜିକ ବାସ୍ତବତାର ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ। ସମାଜର ଅବହେଳିତ, ନିଷ୍ପେଷିତ ଓ ନିର୍ଯାତିତ ମଣିଷଙ୍କ ଜୀବନ ଓ ଜୀବନସଂଘର୍ଷକୁ ଗଳ୍ପରେ ରୂପାୟିତ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସମ୍ମାନଜନକ ସ୍ଥାନ ଦେବା ଗାଳ୍ପିକଙ୍କ ଲେଖନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଗାଳ୍ପିକ ପ୍ରଦୀପ ଚାଟ୍ଟାର୍ଜୀ ନିଜର ଲେଖକୀୟ ଅଭିବ୍ୟକ୍ତି ରଖିବା ସହ ଗଳ୍ପ ରଚନାର ଅନୁଭୂତି ଓ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଅନୁଷ୍ଠାନର ସଂଗଠନ ସମ୍ପାଦକ ତପନ ରାୟ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବାବେଳେ ଯୁଗ୍ମ ସମ୍ପାଦିକା ଶାନ୍ତିଲତା ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ସୁବ୍ରତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ସହରର ବହୁ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.