ବରୁଣସିଂ ପଞ୍ଚାୟତରେ ଜାତୀୟ ଆଇନ ସେବା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ବାଲେଶ୍ୱରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବରୁଣସିଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ଓ ଆଇନ ସଚେତନତା ଶିବିର ପାଳିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବାଲେଶ୍ୱରର ସଚିବ ସୁମନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଆଇନ ସେବା ଦିବସର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ୧୯୮୭ ମସିହାରେ ପ୍ରଣୀତ ଆଇନ ସେବା ପ୍ରାଧିକରଣ ଆଇନ କାର୍ଯ୍ୟକାରୀ ହେବାର ସ୍ମାରକୀ ସ୍ୱରୂପ ୧୯୯୫ ମସିହାରୁ ପ୍ରତିବର୍ଷ ନଭେମ୍ବର ୯ ତାରିଖକୁ ଜାତୀୟ ଆଇନ ସେବା ଦିବସ ଭାବେ ପାଳନ କରାଯାଉଛି। ସମାଜର ମହିଳା, ଶିଶୁ, ଭିନ୍ନକ୍ଷମ, ଆର୍ଥିକ ଅନଗ୍ରସର ବର୍ଗ, ବନ୍ୟା ଓ ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ସମେତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ନିଃଶୁଳ୍କ ଆଇନ ସହାୟତା ଯୋଗାଇ ଦେବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ସମ୍ପର୍କରେ ସେ ବୁଝାଇଥିଲେ। ଯୋଗ୍ୟ ବ୍ୟକ୍ତିମାନେ ଏହି ସୁବିଧାର ସଦୁପଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆଇନଗତ ସହାୟତା ଓ ଅଭିଯୋଗ ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣର ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର ୧୫୧୦୦ରେ ଯୋଗାଯୋଗ କରିବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ଯାଇ ମଧ୍ୟ ଆବେଦନ କରିହେବ ବୋଲି ସେ ସୂଚନା ଦେଇଥିଲେ। ଏଥିସହ ବାଲ୍ୟବିବାହ ନିରୋଧକ ଆଇନ, ଶିକ୍ଷା ଅଧିକାର ଆଇନ ଓ ଶିଶୁ ଶ୍ରମିକ ନିରୋଧକ ଆଇନ ସମ୍ପର୍କରେ ସେ ସଚେତନ କରାଇଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଆଇନ ସେବା ପ୍ରାଧିକରଣ ସର୍ବଦା ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଝିଲିଶ୍ରୀ ମହାଳିକ, ମାନବାଧିକାର କର୍ମୀ ସୁଧାକର ସେଠୀ, ଆଇନଜୀବୀ ହେମଲତା ମହାପାତ୍ର ଓ ଶଶୀକାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। କମଳାକାନ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବୀରେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ନାଏବ ସରପଞ୍ଚ ଭାଗବତ ପରିଡ଼ା, ୱାର୍ଡ ସଭ୍ୟ ରେବତୀ ପାତ୍ର, ସସ୍ମିତା ଜେନା, ଶ୍ୟାମଘନ ଦାସ, ଦେବେନ୍ଦ୍ର ବେହେରା, ହେମଲତା ବେହେରା, ରତିକାନ୍ତ ମହାନ୍ତି, ଚନ୍ଦନ ଦାସ, ଗଜେନ୍ଦ୍ର ମହାଳିକ, ସୁରେନ୍ଦ୍ର ଦାସ, ଦୟାନିଧି ବେହେରା, ଅର୍ଣ୍ଣପୂର୍ଣ୍ଣା ବେହେରା, ଦ୍ୟୁତିମଣୀ ଶଙ୍ଖୁଆ ଓ କୁମୁଦିନୀ ଜେନାଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ। ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପଞ୍ଚାୟତ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.