ବାଲେଶ୍ୱର ବ୍ୟାଡମିଣ୍ଟନର ଚମକ: ରାଜ୍ୟ ଚାମ୍ପିଅନସିପରେ ୪ ପଦକ, ଜାତୀୟ ପ୍ରତିଯୋଗିତାକୁ ଦୁଇ ଖେଳାଳି ମନୋନୀତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜ୍ୟ ବ୍ୟାଡମିଣ୍ଟନ ମଞ୍ଚରେ ପୁଣିଥରେ ନିଜର ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ବାଲେଶ୍ୱରର ଉଦୀୟମାନ ବ୍ୟାଡମିଣ୍ଟନ ଖେଳାଳି। ସଦ୍ୟ ସମାପ୍ତ ଅଲ୍ ଓଡ଼ିଶା OSBA ସବ୍-ଜୁନିୟର (୧୫ ଓ ୧୭ ବର୍ଷରୁ କମ୍) ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ବାଲେଶ୍ୱରର ଖେଳାଳିମାନେ ମୋଟ ଚାରିଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏଥିସହ ଦୁଇ ଜଣ ଖେଳାଳି ଜାତୀୟ ସବ୍-ଜୁନିୟର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ୧୫ ବର୍ଷରୁ କମ୍ ବାଳକ ଯୁଗଳ ବର୍ଗରେ ବାଲେଶ୍ୱରର ଆଦିତ୍ୟ ପ୍ରଧାନ ବଲାଙ୍ଗୀରର ସାଇ ଚନ୍ଦନଙ୍କ ସହ ଯୋଡ଼ି ହୋଇ ଚାମ୍ପିଅନ୍ ହୋଇଛନ୍ତି। ସେହି ବର୍ଗରେ ବାଲେଶ୍ୱରର ଅନ୍ୟତମ ଖେଳାଳି ଅର୍ଣ୍ଣବ ଦାସ ରନର୍ସଅପ୍ ହୋଇଛନ୍ତି। ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍ ବୟସ ବର୍ଗରେ ଓଜୋଦୀପ ମାଝୀ ମିଶ୍ରିତ ଯୁଗଳରେ ଚାମ୍ପିଅନ୍ ହେବା ସହ ବାଳକ ଯୁଗଳରେ ରନର୍ସଅପ୍ ହୋଇ ଦ୍ୱିଗୁଣିତ ସଫଳତା ହାସଲ କରିଛନ୍ତି।

ଏହି ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ଆଦିତ୍ୟ ପ୍ରଧାନ ୧୫ ବର୍ଷରୁ କମ୍ ବାଳକ ଯୁଗଳ ବର୍ଗରେ ଜାତୀୟ ସବ୍-ଜୁନିୟର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଓଜୋଦୀପ ମାଝୀ ୧୭ ବର୍ଷରୁ କମ୍ ବୟସ ବାଳକ ଏକକ, ବାଳକ ଯୁଗଳ ଓ ମିଶ୍ରିତ ଯୁଗଳ—ଏହି ତିନୋଟି ବର୍ଗରେ ଅଲ୍ ଇଣ୍ଡିଆ ସବ୍-ଜୁନିୟର ନ୍ୟାସନାଲ୍ ପାଇଁ ମନୋନୀତ ହୋଇଛନ୍ତି।

ଓଜୋଦୀପ ମାଝୀ ପୂର୍ବରୁ ଓଡ଼ିଶା ରାଜ୍ୟ ପକ୍ଷରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ବେଳେ ଆଦିତ୍ୟ ପ୍ରଧାନଙ୍କ ପାଇଁ ଏହା ଏକ ନୂଆ ଅଧ୍ୟାୟ। ପ୍ରଥମଥର ପାଇଁ ସେ ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ତାଙ୍କର ଏହି ମନୋନୟନ ବାଲେଶ୍ୱରର ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଏକ ଉତ୍ସାହଜନକ ଉଦାହରଣ ହୋଇଛି।

ନଭେମ୍ବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଏହି ରାଜ୍ୟ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ ଆସୋସିଏସନ୍ (OSBA) ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କମିଟିର ସହଯୋଗରେ ଏହା ଆୟୋଜିତ ହୋଇଥିଲା।

ବାଲେଶ୍ୱରର ଖେଳାଳିମାନଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲା ବ୍ୟାଡମିଣ୍ଟନ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଖେଳାଳି, ସେମାନଙ୍କ ପ୍ରଶିକ୍ଷକ ଓ ସଂଘର ସଦସ୍ୟମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯିବା ସହ ଜାତୀୟ ସ୍ତରରେ ମଧ୍ୟ ସେମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.