ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଗଛ ଉପରେ ଝୁଲନ୍ତା ଏକ ଗଳିତ ଶବ ଉଦ୍ଧାର ହୋଇଛି। ମୃତକ ଜଣକ ସୁନ୍ଦର ପାତ୍ର (୨୩) ପରିବାର ଲୋକ ଚିହ୍ନଟ କରିଥିଲେ। ସୂଚନା ଅନୁଯାୟୀ, ସୁନ୍ଦର କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କ ପରିବାର ପକ୍ଷରୁ ମଦନପୁର ରାମପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ କିନ୍ତୁ ନିଖୋଜ ର ଏକ ମାମଲା ରୁଜୁ କରି ନିରବ ରହି ଯାଇଥିଲେ। ଯଦି ପୁଲିସ ଘଟଣାର ତ୍ଵରିତ ତଦନ୍ତ କରିଥିଲେ ହୁଏତଃ ସୁନ୍ଦର ପାତ୍ର ର ସନ୍ଧାନ ମିଳି ଥାନ୍ତା। ସୁନ୍ଦର ପାତ୍ର କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାସହ ଏହାର ନିରପେକ୍ଷ ତଦନ୍ତ ଦାବି କରି ସୋମବାର ମଦନପୁର ରାମପୁର ପଞ୍ଚାୟତ ସମ୍ମୁଖରେ ପରିବାର ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଭୁବନେଶ୍ୱର, ଫୁଲବାଣୀ, ବ୍ରହ୍ମପୁର ଆଦି ସହରକୁ ଯାଉଥିବା ଦୃତଗାମୀ ଯାତ୍ରୀବାହୀ ବସ୍ ବାଲିପଡା ଠାରୁ ଜୁରାଡୋବ୍ରା ରାସ୍ତା ଦେଇ ଚଳାଚଳ କରିଥିଲା। ରାତି ୯.୩୦ ଯାଏଁ ଚାଲିଥିଲା ରାସ୍ତା ରୋକ। ରାତି ୯.୩୦ ରେ ଅତିରିକ୍ତ ଏସ ପି ଘଟଣା ସ୍ଥଳରେ ପହଞ୍ଚି ଏହାର ଉପଯୁକ୍ତ ତଦନ୍ତ ହେବ। ଏବଂ ଦୋଷୀକୁ କଠୋର ଦଣ୍ଡ ଦିଆଯିବ ବୋଲି ଆଶ୍ୱାସନା ଦେବାରୁ ରାସ୍ତାରୋକ ପ୍ରଶମିତ ହୋଇଥିଲା।





