ବାଲେଶ୍ୱରର ଚାନ୍ଦିପୁର ଠାରେ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳୀ ପ୍ରତିଷ୍ଠା ନିଷ୍ପତ୍ତି
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ଡିସେମ୍ବର ୧୦ ତାରିଖରେ ବିଶ୍ୱ ମାନବାଧିକାର ଦିବସ ପାଳନ ଉପଲକ୍ଷେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ନାଗରିକ ମାନବାଧିକାର ଚିକିତ୍ସାଳୟ, ଓଡ଼ିଶାର ମୂଳ କମିଟିର ଏକ ପ୍ରସ୍ତୁତି ବୈଠକ ନଭେମ୍ବର ୮ ତାରିଖରେ ପ୍ରଫେସର ନିରଞ୍ଜନ ବାରିକଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡକ୍ଟର ଗୋପବନ୍ଧୁ ମଲ୍ଲିକ, ଡକ୍ଟର ପରେଶ ଚନ୍ଦ୍ର ମହାନ୍ତି, ସଂଗଠନର ମହାସଚିବ ଜୟକୃଷ୍ଣ ମହାନ୍ତ, ଜାତୀୟ ଉପସଭାପତି ବସନ୍ତ କୁମାର ଦାଶ, ଲେଖିକା ରଶ୍ମି ରାଉଳ, ଇଣ୍ଡିଆ ଟ୍ୱେଣ୍ଟି ଫୋର୍ ସେଭେନ୍ ଟିଭିର ଡକ୍ଟର ରବି ଶର୍ମା, ଜାତୀୟ ଆବାହକ ନୃସିଂହ ନାଥ ନନ୍ଦ, ମହିଳା ବିଭାଗ ମୁଖ୍ୟ ବନଶ୍ରୀ ମହାପାତ୍ର, ଗଣମାଧ୍ୟମ ପ୍ରକୋଷ୍ଠ ମୁଖ୍ୟ ଡକ୍ଟର ଶରତ ଚନ୍ଦ୍ର ବେହେରା ଏବଂ ସଂଗଠନର ପରାମର୍ଶଦାତା ପ୍ରଫେସର ନିରଞ୍ଜନ ବାରିକ ଯୋଗ ଦେଇଥିଲେ। ବୈଠକରେ ମାନବାଧିକାର ଦୃଷ୍ଟିକୋଣରୁ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ କାର୍ଯ୍ୟକ୍ରମରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଶିକ୍ଷା, ଖାଦ୍ୟ ସୁରକ୍ଷା, ସ୍ୱଚ୍ଛ ପାନୀୟ ଜଳ ଏବଂ ନିର୍ମଳ ବାୟୁ ପାଇବାର ମୌଳିକ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବୈଠକର ଅନ୍ୟତମ ପ୍ରମୁଖ ନିଷ୍ପତ୍ତି ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ଏକ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳୀ ପ୍ରତିଷ୍ଠା କରାଯିବ। ଏଥିସହ ସମାଜର ସମସ୍ତ ବର୍ଗର ମାନବାଧିକାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ସାମୂହିକ ଭାବେ କାର୍ଯ୍ୟ କରିବାକୁ ସଦସ୍ୟମାନେ ସଂକଳ୍ପ ନେଇଥିଲେ। ବିଶେଷକରି ଶିଶୁ, ମହିଳା, କିନ୍ନର, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ସମେତ ସମାଜର ଅବହେଳିତ ଓ ଅସହାୟ ବର୍ଗଙ୍କ ଅଧିକାର ସୁରକ୍ଷା ଉପରେ ପ୍ରାଥମିକତା ଦିଆଯିବ।ଡିସେମ୍ବର ୧୦ର କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଡକ୍ଟର ଶରତ ଚନ୍ଦ୍ର ବେହେରା ଓ ନୃସିଂହ ନାଥ ନନ୍ଦଙ୍କୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରିବାର ଦାୟିତ୍ୱ ଦିଆଯାଇଥିଲା। ସେହିପରି ଡକ୍ଟର ରବି ଶର୍ମା ଓ ବସନ୍ତ କୁମାର ଦାଶଙ୍କୁ ବିଶିଷ୍ଟ ଅତିଥିମାନଙ୍କ ସହ ଯୋଗାଯୋଗ ଓ ନିମନ୍ତ୍ରଣ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଶେଷରେ ସଂଗଠନର ମହାସଚିବ ଜୟକୃଷ୍ଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।





