୨ୟ ବଲବସପୁର ମହୋତ୍ସବ ଅନୁଷ୍ଠିତ; ମଞ୍ଚସ୍ଥ ହେଲା ନାଟକ ‘ଜୁଇରେ କାନ୍ଦୁଛି ଜିଅନ୍ତା ଶବ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨ୟ ବଲବସପୁର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ବଲବସପୁରର ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା। ନଭେମ୍ବର ୧୪ ଶନିବାର ଦିନ ପୂର୍ବାହ୍ନରେ ଗ୍ରାମର ଅଧିଷ୍ଠାତା ଦେବତା ଶ୍ରୀ ଶ୍ରୀ ଅଗ୍ନି ଭୈରବଙ୍କ ପୀଠରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ହୋଇ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା, କଣ୍ଠ ସଂଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଗ୍ରାମର କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ଝୋଟି, ରଙ୍ଗୋଲି, ହୁଳହୁଳି, ଶଙ୍ଖବାଦନ, ମ୍ୟୁଜିକ ଚେୟାର ଆଦି ସହିତ ଅନ୍ୟାନ୍ୟ ଫେନସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତି ୯.୩୦ରେ ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆୟୋଜକ ଅଗ୍ନି ଭୈରବ ନାଟ୍ୟ କଳା ପରିଷଦର ସଭାପତି ଦିଲିପ କୁମାର ସାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ ଜୁନିଅର କଲେଜର ପ୍ରିନ୍ସପାଲ ଜୟକୃଷ୍ଣ ପଧାନ, ସମ୍ମାନିତ ଅତିଥି ଭାବେ ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ବିଶିଷ୍ଟ ଉଦ୍ୟୋଗପତି ବିରେନ୍ଦ୍ର ପଧାନ, ଅନୁଷ୍ଠାନର ସମ୍ପାଦକ ଭବାନୀ ଶଙ୍କର ବାରିକ ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ମାଟିର ଅନେକ କୃତି ସନ୍ତାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚରେ ନାଟ୍ୟଗୁରୁ ପିତାମ୍ବର ମହାରଣାଙ୍କୁ ବିଶେଷ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଗୁରୁ ପୂଜନ କରାଯାଇଥିଲା। ଶିକ୍ଷାବିତ ଜଗଦୀଶ ପ୍ରସାଦ ସାହୁ କାର୍ଯ୍ୟକ୍ରମର ବ୍ୟବସ୍ଥାପନା କରିଥିବାବେଳେ ଏଚ୍ ପ୍ରଥମା ପରିଶିଷ୍ଟା ବ୍ରହ୍ମା ମଞ୍ଚ ସଂଯୋଜନା କରିଥିଲେ। ରାତି ୧୧ଟାରେ ଅନୁଷ୍ଠାନ ପ୍ରଯୋଜିତ ସାମାଜିକ ନାଟକ ‘ଜୁଇରେ କାନ୍ଦୁଛି ଜିଅନ୍ତା ଶବ’ ମଞ୍ଚସ୍ଥ ହୋଇଥିଲା। ହଜାର ହଜାର ଦର୍ଶକ ରାତି ତମାମ ନାଟକର ଭରପୁର ମଜା ଉଠାଇଥିଲେ। ଅଗ୍ନି ଭୈରବ ନାଟ୍ୟ କଳା ପରିଷଦର କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.