ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ରିସର୍ଚ୍ଚ ସୋସାଇଟି ଅଫ୍ ଷ୍ଟଡ଼ିଜ୍ ଇନ୍ ଡାଇବେଟିସ୍ (ଆର୍.ଏସ୍.ଏସ୍.ଡ଼ି.ଆଇ)ର ଆହ୍ୱାନ କ୍ରମେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଆଇ.ଏମ୍.ଏ. ଜିଲ୍ଲା ଶାଖା, ଏସ୍.ଆର୍.ଏମ୍. ମେଡ଼ିକାଲ କଲେଜ ତଥା ଭବାନୀପାଟଣା ସହରସ୍ଥିତ କିଛି ପ୍ରାଇଭେଟ୍ ସ୍ୱାସ୍ଥ୍ୟାଳୟ ଓ ପରୀକ୍ଷାଗାରଙ୍କ ସହାୟତାରେ ବିଶ୍ୱମଧୁମେହ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହ ଏକ ଯୋଗ ଓ ବ୍ୟାୟାମ ଶିବିର ଆୟୋଜିତ ହୋଇଥିଲା। ପରେ ପରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ସହରବାସୀ, ଛାତ୍ର, ଶିକ୍ଷକ, ଷ୍ଟାଫନର୍ସ, ଡାକ୍ତର, ଫାର୍ମାସିଷ୍ଟ, ଲାବ୍ ଟେକ୍ନିସିଆନ୍, ସ୍ୱେଚ୍ଛାସେବୀ, ସାମ୍ବାଦିକଙ୍କ ମିଳିତ ସହଯୋଗରେ ସମାଜ ପାଇଁ ଉଦ୍ଦିଷ୍ଟ ଡାଇବେଟିସ୍ ସମ୍ବନ୍ଧୀୟ ବାର୍ତ୍ତା ସହ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ଯୋଗ ଓ ବ୍ୟାୟାମ ଶିବିରରେ କାର୍ଯ୍ୟକ୍ରମର ଉପାଧ୍ୟକ୍ଷ ଡା.ନିହାରେନ୍ଦ୍ର ପଣ୍ଡା ଯୋଗଶିକ୍ଷା ଦେଇଥିବା ବେଳେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା.କବିରାଜ ଚୌଧୁରୀ, ଡା.ରବିନାରାୟଣ ସେନାପତି, ଡା.ପ୍ରଦୀପ ପାଣିଗ୍ରାହୀ, ଡା.ତୁଷାର ମେହେର, ଡା.ନିହାରେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମର ସାଂଗଠନିକ ସମ୍ପାଦକ ଡା.ଦୀନବନ୍ଧୁ ସାହୁ ଏବଂ ସହରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଇନ୍ସୁଲିନ୍ର ଆବିଷ୍କାରକ ସାର୍ ଫ୍ରେଡରିକ୍ ବେଣ୍ଟିଂଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଡା. ସାହୁଙ୍କ ଦ୍ୱାରା ପ୍ରସ୍ତୁତ ମା’ ମାଣିକେଶ୍ୱରୀଙ୍କ ଏକ ହାତଅଙ୍କା ଚିତ୍ରରେ ପୂଜାର୍ଚ୍ଚନା ସହ ମଧୁମେହ ଦିବସର ଫଳକ ଉନ୍ମୋଚନ କରାଯାଇଥିଲା।

ଆମନ୍ତ୍ରିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଟାଉନ୍ ପ୍ଲାନିଂ ଅଧିକାରୀ ତଥା ଉପସ୍ଥିତ ଡାକ୍ତରମାନଙ୍କ ସହ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ୟୁନିଫର୍ମ, ଟୋପି, ପ୍ଲାକାର୍ଡ଼ ଓ ବ୍ୟାନର୍ ସହିତ ଆୟୋଜିତ ଏହି ସଚେତନତା ଶୋଭାଯାତ୍ରା ଷ୍ଟେଚ୍ୟୁଛକ, ଗାନ୍ଧିଛକ ଏବଂ ଏମ୍.ଏସ୍.ଏ. ଛକ ଦେଇ ସି.ଡ଼ି.ଏମ୍.ଓ.ଙ୍କ କାର୍ଯ୍ୟାଳୟକୁ ଫେରିଥିଲା।

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ପ୍ରଫେସର ଡାକ୍ତର ସାଧୁଚରଣ ପଣ୍ଡା, ଶିଶୁ ବିଶେଷଜ୍ଞ ଡା.ବିଜୟ କୁମାର କମ୍ପ, ଚକ୍ଷୁ ବିଶେଷଜ୍ଞ ଡା.ନିବେଦିତା ସାହୁ ତଥା ସହରର ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଡାଇବେଟିସ୍ ସଂକ୍ରାନ୍ତୀୟ ଶିକ୍ଷାଦାନ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମଧୁମେହ ବିଶେଷଜ୍ଞ ଡା.ଦୀନବନ୍ଧୁ ସାହୁଙ୍କ ଦ୍ୱାରା ଲିଖିତ ଏକ ଡାଇବେଟିସ୍ ସୂଚନା ପୁସ୍ତିକା ଉନ୍ମୋଚନ ହୋଇଥିଲା।

ଉକ୍ତ ଶିକ୍ଷାଦାନ କାର୍ଯ୍ୟକ୍ରମରେ ଡା.ଦୀନବନ୍ଧୁ ସାହୁ ‘ମଧୁମେହ ରୋଗ ଏବଂ ଏହରା ନିୟନ୍ତ୍ରଣ’, ଡା.ବିଜୟ କମ୍ପ ‘ଶୈଶବରେ ମଧୁମେହ’, ଡା.ଶୁଭଲକ୍ଷ୍ମୀ ମହାପାତ୍ର ‘ଗର୍ଭାବସ୍ଥାରେ ମଧୁମେହ’, ଡା.ଆଲିଶା ହୁସେନ୍ ‘ରମଜାନ୍ ଓ ମଧୁମେହ’ ସମ୍ପର୍କରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମରେ ବିଶେଷ ସହାୟତା ପ୍ରଦାନ କରିଥିବା ଶିଳ୍ପୀ ତଥା ସଂସ୍କୃତିପ୍ରେମୀ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ସମେତ ଆମନ୍ତ୍ରିତ ଅତିଥି, ବକ୍ତା ତଥା ମଧୁମେହ ଆକ୍ରାନ୍ତ କିଛି ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଶେଷ ସହାୟତା ପାଇଁ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ର ସଭାପତି ଅଶୋକ କୁମାର ରାଉତ, ଏସ୍.ଆର୍.ଡାଇଗ୍ନୋଷ୍ଟିକ୍ସ୍, ଜେନିକ୍ସ ଲାବ, ବାଲାଜୀ ନସିଂ ହୋମ୍, ମାଣିକେଶ୍ୱରୀ ଓ ଚନ୍ଦନ ମଲ୍ଟିସ୍ପୋଶାଲିଟି ହସ୍ପିଟାଲ୍, ମେଡ଼ାକ୍ସ ହସ୍ପିଟାଲ, ଡିପିଏମ୍ ଦିଲ୍ଲୀପ ଦୁବେ, ଧର୍ମାନନ୍ଦ ତାଣ୍ଡି ଏବଂ ଫଟୋଫେସନ୍ ତଥା ଅନ୍ୟାନ୍ୟ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଓ ପ୍ରୀତି ଉପହାର ଅର୍ପଣ ପୂର୍ବକ କାର୍ଯ୍ୟକ୍ରମଟିକୁ ସମାପନ କରାଯାଇଥିଲା।





