ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବରିଷ୍ଠ ଫାର୍ମାସିଷ୍ଟ ତଥା ସମାଜସେବୀ ରବୀନ୍ଦ୍ର କୁମାର ସାହୁଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସେବା ସମ୍ମାନ’ରେ ସମ୍ମାନିତ କରାଯିବ। ଦୀର୍ଘ ୩୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଜଣେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟ କରି ଆସୁଥିବା ଶ୍ରୀ ସାହୁ ସଂପ୍ରତି ବିଶ୍ୱନାଥପୁର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଲାଞ୍ଜିଗଡ଼ ରୋଡ୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ଲାଞ୍ଜିଗଡ଼ ଭଳି ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେ ଗରିବ, ନିରୀହ ଓ ଅସହାୟ ଲୋକଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ କରି ଆସୁଛନ୍ତି। ବିଶେଷକରି ଯେତେବେଳେ ଡାକ୍ତରଙ୍କ ଅଭାବ ରହୁଥିଲା, ସେତେବେଳେ ସେ ନିଜେ ରୋଗୀମାନଙ୍କୁ ପରାମର୍ଶ ଦେବା ସହ ଆବଶ୍ୟକୀୟ ଔଷଧ ଯୋଗାଇ ଦେଉଥିଲେ। ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ତାଙ୍କର ଏକ ସ୍ୱତନ୍ତ୍ର ବିଶ୍ୱାସ ଓ ସମ୍ମାନ ସୃଷ୍ଟି ହୋଇଛି। କରୋନା ମହାମାରୀ ସମୟରେ ମଧ୍ୟ ଶ୍ରୀ ସାହୁ ନିଜସ୍ୱ ଉଦ୍ୟମରେ ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଗରିବ ରୋଗୀମାନଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଇଥିଲେ। ଏହା ସହିତ ସେ ଡାକ୍ତରଖାନା ପରିସରରେ ଏକ ଔଷଧୀୟ ଉଦ୍ୟାନ ପ୍ରତିଷ୍ଠା କରିବା ସହ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱ ଦିଅନ୍ତି। ସରକାରୀ ଦାୟିତ୍ୱ ବ୍ୟତୀତ ସେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଆୟୋଜନ କରିବା ସହ ସ୍ଥାନୀୟ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେବା, ବିଦ୍ୟାଳୟ ପରିସର ସଫେଇ ଓ ରଙ୍ଗ କରିବା ତଥା ବୃକ୍ଷରୋପଣ କରିବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି। ତାଙ୍କ ଦୀର୍ଘବର୍ଷର ସ୍ୱାସ୍ଥ୍ୟସେବା ଓ ସମାଜସେବାକୁ ସ୍ୱୀକୃତି ଦେବା ପାଇଁ ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।





