ଯଯାତି କେଶରୀ ନାୟକ ପାଇବେ ଦେବଗିରି ଲୋକକଳା ସମ୍ମାନ: ଦେବଦତ୍ତ ବେହେରାଙ୍କୁ ପ୍ରତିଭା, ସୁନ୍ଦରଲାଲ ନାଏକଙ୍କୁ ଦେଶସେବା ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବରିଷ୍ଠ ଲୋକକଳାକାର ଯଯାତି କେଶରୀ ନାୟକଙ୍କୁ ‘ଦେବଗିରି ଲୋକକଳା ସମ୍ମାନ’ରେ ସମ୍ମାନିତ କରାଯିବ। ଶ୍ରୀ ନାୟକ ଜଣେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ତଥା ବରିଷ୍ଠ ଓ ଲୋକପ୍ରିୟ ଉପସ୍ଥାପକ। ଭବାନୀପାଟଣା ମନ୍ଦରବଗିଚାପଡ଼ା ନିବାସୀ ଶ୍ରୀ ନାୟକ ପ୍ରଥମ କଳାହାଣ୍ଡିଆ ଅଡିଓ କ୍ୟାସେଟର କଣ୍ଠଶିଳ୍ପୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏଥିସହ ସେ ଯାଦବ ସମ୍ପ୍ରଦାୟର ଲୁପ୍ତପ୍ରାୟ ପାରମ୍ପରିକ ଲୋକନୃତ୍ୟ ‘ବନାବାଡ଼ି’ର ଜଣେ ଦକ୍ଷ ଗୁରୁ ଭାବରେ ମଧ୍ୟ ପରିଚିତ। ତାଙ୍କ ନେତୃତ୍ୱରେ ଅନେକ ସାଂସ୍କୃତିକ ଦଳ ରାଜ୍ୟ ତଥା ରାଜ୍ୟ ବାହାରେ କଳା ପ୍ରଦର୍ଶନ କରି କଳାହାଣ୍ଡିର ଗୌରବ ବୃଦ୍ଧି କରିଛନ୍ତି। ଏଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। କେବଳ ସ୍ଥାନୀୟ ସ୍ତରରେ ନୁହେଁ, କାଶ୍ମୀରର ବନିହାଲଠାରେ ଅନୁଷ୍ଠିତ ଜାତୀୟ ଯୁବ ଉତ୍ସବ ‘ମିଶନ ସଦ୍ଭାବନା’ ରେ ମଧ୍ୟ ସେ କଳା ପରିବେଷଣ କରି ସମ୍ମାନିତ ହୋଇଛନ୍ତି। ତାଙ୍କର ଏହି ଦୀର୍ଘବର୍ଷର ସାଂସ୍କୃତିକ ସାଧନା ଓ ଲୋକକଳାର ପ୍ରଚାର ପ୍ରସାର ଦିଗରେ ଅବଦାନ ନିମନ୍ତେ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ।

ସେହିଭଳି ଭାବେ ବିଶିଷ୍ଟ ପରିବେଶବିତ୍ ଦେବଦତ୍ତ ବେହେରାଙ୍କୁ ଚଳିତ ବର୍ଷର ରାଜ୍ୟସ୍ତରୀୟ ‘ଦେବଗିରି ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଭବାନୀପାଟଣାର ବିଷ୍ଣୁପ୍ରିୟା ବେହେରା ଓ ସ୍ଵର୍ଗତ ଦୋଳଗୋବିନ୍ଦ ବେହେରାଙ୍କ ସୁପୁତ୍ର ଦେବଦତ୍ତ ଏକାଧାରରେ ଜଣେ ସାମ୍ବାଦିକ, ପରିବେଶବିତ, ବିଶିଷ୍ଟ ସଂଗଠକ ଓ ସମାଜସେବୀ ଭାବେ କଳାହାଣ୍ଡି ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚିତି ସୃଷ୍ଟି କରି ପାରିଛନ୍ତି। ୧୯୭୩ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମିତ ଦେବଦତ୍ତଙ୍କ ପରିବେଶ ସୁରକ୍ଷା ପ୍ରତି ବିଶେଷ ଅବଦାନ ରହିଛି। ବିପ୍ଲବ ଦ ଗ୍ରିନ ରିଭ୍ୟୁଲେସନ, ପ୍ରୟାସ ଫାଉଣ୍ଡେସନ, ଜନ ସାହାଯ୍ୟ, ଜନ କଲ୍ୟାଣ, ଅନ୍ତୋଦୟ ଆଦି ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସେ ଦୁର୍ଗତ ଜନତାଙ୍କ ସେବା କରିବା ସହ ପରିବେଶ ସୁରକ୍ଷା ଦିଗରେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ଏଜାବତ ୩୮ ଥର ରକ୍ତଦାନ କରିଥିବା ଶ୍ରୀ ବେହେରା ଯୁବ ସମ୍ମେଳନର ଆୟୋଜନ, ଅଙ୍ଗଦାନ ସଚେତନତା, ବୃକ୍ଷରୋପଣ, ପରିବେଶ ସୁରକ୍ଷା ସଚେତନତା ଆଦି ଅନେକ ଜନହିତକର କାର୍ଯ୍ୟକ୍ରମ କରି ଆସୁଛନ୍ତି। ଏହା ସହିତ ଗରିବ, ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ସହଯୋଗ କରିବା ସେ ନିଜର ପରମ ଧର୍ମ ଭାବେ ଗ୍ରହଣ କରିଛନ୍ତି।

ସେହିପରି ଭାବେ ଚଳିତ ବର୍ଷର ମର୍ଯ୍ୟଦାଜନକ ‘ଦେବଗିରି ଦେଶସେବା ସମ୍ମାନ-୨୦୨୬’ ପାଇବେ କଳାହାଣ୍ଡିର ଜଣେ ଉଦିୟମାନ ଯୁବକ ସୁନ୍ଦରଲାଲ ନାଏକ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କର୍ଲାଖୁଣ୍ଟା ଗାଁରେ ଜନ୍ମିତ ସୁନ୍ଦରଲାଲ ଭାରତୀୟ ସଂରକ୍ଷିତ ବିହିନୀ (ଆଇଆରବି)ରେ କାର୍ଯ୍ୟରତ। ୨୦୦୮ରେ ତୃତୀୟ ଆଇଆରବିରେ ଯୋଗଦାନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସେବା ଯୋଗାଇ ବର୍ତ୍ତମାନ ଅଷ୍ଟମ ଆଇଆଇବି ଭଞ୍ଜନଗରରେ କାର୍ଯ୍ୟ କରୁଛନ୍ତି। ୨୦୧୧ ଫେବୃଆରୀ ୧୧ ତାରିଖ ଦିନ ଯାଜପୁରର ଟମକା ଥାନା ଅଞ୍ଚଳରେ ସାଥି ଆଇଆରବି ବଳ ସହ ଶ୍ରୀ ନାଏକ ୧୧ ଜଣ ମାଓବାଦୀଙ୍କୁ ନିପାତ କରି ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଦେଶ ମାତୃକାର ସେବା ପାଇଁ କାର୍ଯ୍ୟ କରୁଥିବା ଶ୍ରୀ ନାଏକଙ୍କୁ ଦେବଗିରି ଦେଶସେବା ସମ୍ମାନରେ ସମ୍ମାନିତ କରାଯିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ‘ଗୋସିଙ୍ଗ ଦୈତ୍ୟ ଦରବାର’ରେ ଚୟନିତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ। ଏନେଇ ସୂଚନା ଦେଇଛନ୍ତି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.