ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ’ର ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ପ୍ରସ୍ତୁତି ଜୋରଦାର କରାଯାଇଛି। ଗୁରୁବାର ଅପରାହ୍ନରୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ସହ ବିପଦ ମୁକାବିଲା ପାଇଁ ବିଡିଓ ଶଶାଙ୍କ ପାତ୍ରଙ୍କ ନେତୃତ୍ୱରେ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଡିଇଓ ମାନେ ଗାଁ ଗୁଡ଼ିକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କୁ ସଚେତନ କରିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ସଜାଗ ଓ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଭୂସ୍ଖଳନ ଆଶଙ୍କା ଥିବା ୧୦ ଗୋଟି ଗ୍ରାମ ପଞ୍ଚାୟତର ୧୭ ଗୋଟି ଗ୍ରାମରୁ ମୋଟ ୬୦୧ ଜଣଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀମାନଙ୍କରେ ପ୍ରଥମେ ରଖାଯାଇଥିଲା ଏବଂ ସମସ୍ତଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ପୁରୁଷ ୩୦୩ ଜଣ, ମହିଳା ୨୯୮ ଜଣ ଅଛନ୍ତି। ସେଥିମଧ୍ୟରୁ ଶିଶୁ ୧୩୨ ଜଣ, ଗର୍ଭବତୀ ମହିଳା ୭ ଜଣ ଓ ବୃଦ୍ଧ / ଭିନ୍ନକ୍ଷମ ୯୮ ଜଣ ଅଛନ୍ତି। ଗୁରୁବାର ରାତିରେ ତ୍ରିଲୋଚନପୁର ପଞ୍ଚାୟତର ପାଲବେରୀ ଗ୍ରାମରୁ ୪୮ ଜଣ ଓ ଭୁର୍ତ୍ତିଗଡ଼ ପଞ୍ଚାୟତର ଜାନକୀପଦର ଗ୍ରାମରୁ ୪୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଶୁକ୍ରବାର ସକାଳୁ ତ୍ରିଲୋଚନପୁର ପଞ୍ଚାୟତର କୁନାକାଡୁ ଗ୍ରାମରୁ ୩୧ ଜଣ, ମାଳିଜୁବାଙ୍ଗ ପଞ୍ଚାୟତର ପାନପଦର ଗ୍ରାମରୁ ୨୦ ଜଣ, ବଡ଼ା ଗ୍ରାମରୁ ୨୧ ଜଣ, ତୁରିସେମେଲ ଗ୍ରାମରୁ ୨୮ ଜଣ, ଗୁଣ୍ଡ୍ରୀ ପଞ୍ଚାୟତର କଚାଙ୍ଗଭାଟା ଗ୍ରାମରୁ ୭୦ ଜଣ, ପାହାଡ଼ପଦର ପଞ୍ଚାୟତର ମଦନଗୁଡ଼ାରୁ ୩୮ ଜଣ, ଜିରାଗାଁରୁ ୧୨ ଜଣ, ପୁଞ୍ଜାମରୁ ୨୯ ଜଣ, କିରମରୁ ୩୮ ଜଣ, ବିଜେପୁର ପଞ୍ଚାୟତର ପିଡିସାଲରୁ ୪୪ ଜଣ, ସାଇମାସ୍କାରୁ ୩୯ ଜଣ, ଲାଖବାହାଲି ପଞ୍ଚାୟତର ଘାଟିକୁଣ୍ଡରୁ ଗ୍ରାମରୁ ୩୭ ଜଣ, ବନ୍ଧପାରି ପଞ୍ଚାୟତର କର୍କାମସ୍କା ଗ୍ରାମରୁ ୧୭ ଜଣ, ଭଟାଙ୍ଗପଦର ପଞ୍ଚାୟତର ଉପର ସିନ୍ଧଖୁଣ୍ଟି ଗ୍ରାମରୁ ୨୩ ଜଣ ଓ କାନକୁଟ୍ରୁ ପଞ୍ଚାୟତର ବାରିଗୁଡ଼ା ଗ୍ରାମରୁ ୬୨ ଜଣଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀମାନଙ୍କରେ ରଖାଯାଇଛି। ଶୁକ୍ରବାର ସକାଳୁ ବିଡିଓ ଶ୍ରୀ ପାତ୍ର ଆଶ୍ରୟସ୍ଥଳୀମାନଙ୍କରେ ପହଞ୍ଚି ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭଲ-ମନ୍ଦ ପଚାରି ବୁଝିଥିଲେ। ଏ ସମ୍ପର୍କରେ ବିଡିଓ ଶ୍ରୀ ପାତ୍ରଙ୍କୁ ପଚାରିବାରୁ ବ୍ଲକର ବିଭିନ୍ନ ଗ୍ରାମରେ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି।





