ପଞ୍ଚସଖାଙ୍କ ଦର୍ଶନରୁ ଆଧୁନିକ ଚିନ୍ତନ ପର୍ଯ୍ୟନ୍ତ: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ଦର୍ଶନ ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ‘ଓଡ଼ିଶାରେ ଦର୍ଶନ ଶିକ୍ଷାର ଇତିହାସ’ ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଓଡ଼ିଶାର ଦାର୍ଶନିକ ପରମ୍ପରା, ଦର୍ଶନ ଶିକ୍ଷାର ଐତିହାସିକ ବିକାଶ ଏବଂ ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦାର୍ଶନିକ ଚିନ୍ତନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଜେକେବିକେ କଲେଜର ପ୍ରାକ୍ତନ ଦର୍ଶନ ପ୍ରଫେସର ଡ. ନାରାୟଣ ମହାନ୍ତିଙ୍କ ରଚିତ ‘ଓଡ଼ିଶାରେ ଦର୍ଶନ ଶିକ୍ଷାର ଇତିହାସ’ ପୁସ୍ତକକୁ ଆଧାର କରି ଆୟୋଜିତ ଏହି ଆଲୋଚନାଚକ୍ରର ଉଦ୍‌ଘାଟନୀ ଅଧିବେଶନରେ ଲେଖକ ଡ. ମହାନ୍ତି ସମ୍ମାନିତ ଅତିଥି ଏବଂ ନିଖିଳ ଓଡ଼ିଶା ଦାର୍ଶନିକ ସଂଘର ଉପସଭାପତି ପ୍ରଫେସର ଧନେଶ୍ୱର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଦର୍ଶନ ବିଭାଗର ମୁଖ୍ୟ ଡ. ସରୋଜ କାନ୍ତ କର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ନନ୍ଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଡ. ନାରାୟଣ ମହାନ୍ତିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ସହ ଦର୍ଶନ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। କୁଳସଚିବ ଡ. ସ୍ୱାତୀ ମିଶ୍ର, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଜଜ୍ଞେଶ୍ୱର ଦଣ୍ଡପାଟ ଏବଂ ବିତ୍ତ ନିୟନ୍ତ୍ରକ ମିନତି ପତିଙ୍କ ସମେତ ବିଶ୍ୱବିଦ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଏହି ଆୟୋଜନକୁ ଶୁଭେଚ୍ଛା ଜଣାଇଥିଲେ।

ଆଲୋଚନାଚକ୍ରର ବୈଷୟିକ ଅଧିବେଶନରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ପତିତପାବନ ଦାସ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଡ. କଲ୍ୟାଣୀ ଦାସ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡ. ଶୁଭଙ୍କରୀ ପତି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଡ. ସୁଧାକର ଜାଲି ଯୋଗଦେଇ ଓଡ଼ିଶାର ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ଦାର୍ଶନିକ ପରମ୍ପରାର ବିଭିନ୍ନ ଦିଗ ଉପରେ ନିଜ ନିଜର ମତ ରଖିଥିଲେ।

ବିଶେଷକରି ପଞ୍ଚସଖା—ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ ଓ ଯଶୋବନ୍ତ ଦାସଙ୍କ ଭକ୍ତି, ଜ୍ଞାନ, ଯୋଗ ଓ ସମାନତାଭିତ୍ତିକ ଦର୍ଶନ ଉପରେ ଆଲୋକପାତ କରାଯାଇଥିଲା। ଏଥିସହ ମହିମା ଗୋସାଇଁ, ଭୀମ ଭୋଇ ଏବଂ ବେଦାନ୍ତ ଓ ବୈଷ୍ଣବ ଦର୍ଶନ କ୍ଷେତ୍ରରେ ବଳଦେବ ବିଦ୍ୟାଭୂଷଣଙ୍କ ଅବଦାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଓଡ଼ିଶାର ଦାର୍ଶନିକ ଚିନ୍ତନ ଓ ଶିକ୍ଷାର ବିକାଶରେ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ରତ୍ନାକର ପତି, ଗଣେଶ୍ୱର ମିଶ୍ର ଏବଂ ଆଧୁନିକ ଦାର୍ଶନିକ ଜେ.ଏନ୍. ମହାନ୍ତି ଓ ଜି.ସି. ନାୟକଙ୍କ ବୌଦ୍ଧିକ ଅବଦାନକୁ ବକ୍ତାମାନେ ଉଚ୍ଚ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଗବେଷକ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ ଦାର୍ଶନିକ ଚିନ୍ତନ ଓ ଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଡ. ପ୍ରଜ୍ଞା ମହାପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.