ଅଣ୍ଡରବ୍ରିଜ୍ର ତ୍ରୁଟିପୂର୍ଣ୍ଣ ଡିଜାଇନ୍ : ବିପଦ ଆଶଙ୍କାରେ ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରେଳପଥ

ଯୋଗାଯୋଗ ବିଚ୍ଛିନ୍ନ ହେବ ୨୦ ଗାଁ, ହଇରାଣ ହେବେ ୪୦ ହଜାର ଲୋକେ

କଳାହାଣ୍ଡି,୧୧/୧୨:

ସୁପ୍ରିମକୋର୍ଟ୍ଙ୍କ ନିର୍ଦ୍ଦେଶ ପରେ ରେଳ ବିଭାଗ ପକ୍ଷରୁ ମାନବ ବିହୀନ ଲେଭେଲ୍ କ୍ରସିଂଗୁଡିକୁ ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଫାଟକ ବଦଳରେ ଅଣ୍ଡରବ୍ରିଜ୍ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଓ ବିନା ବୈଷୟିକ ଅନୁଧ୍ୟାନରେ ନିର୍ମାଣ ହେଉଥିବା ଏକ ରେଳ ଅଣ୍ଡର ବ୍ରିଜ୍ ଏବେ ଉଭୟ ରେଳପଥ ଓ ସ୍ଥାନୀୟ ଲୋକଙ୍କ ପାଇଁ କାଳ ସାଜିବାକୁ ଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଲାଞ୍ଜିଗଡ ରୋଡ-ଜୁନାଗଡ ରେଳପଥର ପ୍ରଥମ ରହଣୀ ଜି.ରାମଚନ୍ଦ୍ରପୁର ପାସେଞ୍ଜର ହଲ୍ଟର ପୂର୍ବ ଦିଗରେ ପ୍ରାୟ ଦୁଇଶହ ମିଟର ଦୂରରେ ନିର୍ମାଣ କରାଯାଉଛି ଏକ ଅଣ୍ଡରବ୍ରିଜ୍ । ମଧୁପୁର ଫାଟକ ଓ ରାମଚନ୍ଦ୍ରପୁର ଫାଟକକୁ ବନ୍ଦ କରିବା ଉଦ୍ଦେଶ୍ୟରେ ନିର୍ମାଣ ହେଉଥିବା ଏହି ଅଣ୍ଡରବ୍ରିଜ୍କୁ ନେଇ ଏବେ ବିପଦ ଆଶଙ୍କା ପ୍ରକାଶ ପାଉଥିବାବେଳେ ରେଳ ବିଭାଗ କିମ୍ବା ନିର୍ମାଣକାରୀ ସଂସ୍ଥା ଏଥିପ୍ରତି ସାମାନ୍ୟ ଭୃକ୍ଷେପ କରୁନାହିଁ । ସୂଚନାଯୋଗ୍ୟ ଯେ, ମଧୁପୁର ଅଞ୍ଚଳର ଏକ ବଡ ଗାଁ ହୋଇଥିବାବେଳେ ଗୋବର୍ଦ୍ଧନପୁର ପଞ୍ଚାୟତର ମୁଖ୍ୟାଳୟ ହେତୁ ଏହି ବଡଗାଁ ଉପରେ ଅଞ୍ଚଳର ହଜାର ହଜାର ଲୋକେ ନିର୍ଭର କରନ୍ତି । ଏଠାରେ ଦୁଇଟି ଆବାସିକ ସ୍କୁଲ, ଡାକ୍ତରଖାନା ଆଦି ଥିବାବେଳେ ବର୍ଷ ଖରିଫଋତୁରେ ଏଠାରେ ଏକ ବିରାଟ ଧାନମଣ୍ଡି ଖୋଲିଥାଏ । ଯେଉଁଠି ହଜାର ହଜାର କ୍ୱିଣ୍ଟାଲ ଧାନ ବିକ୍ରି ହୋଇଥାଏ । ସେହିପରି ଅଞ୍ଚଳର ଆଉ ଏକ ବଡ ଗାଁ ରାମଚନ୍ଦ୍ରପୁର ହୋଇଥିବାବେଳେ ଏହି ଗାଁ ଦେଇ ଅଞ୍ଚଳର ୩୦ ହଜାର ଲୋକେ ଯାତାୟତ କରିବା ସହ ଲାଞ୍ଜିଗଡ ବ୍ଲକ ଓ ନର୍ଲା ବ୍ଲକକୁ ଯୋଡୁଥିବା ଏକ ବ୍ୟସ୍ତବହୁଳ ରାସ୍ତା ଏହି ଗାଁ ଦେଇଯାଇଛି । ତେବେ ରେଳ ବିଭାଗ ଦ୍ୱାରା ଏହି ଦୁଇଟି ଗାଁକୁ ସଂଯୋଗ କରୁଥିବା ଫାଟକକୁ ବନ୍ଦ କରି ଗୋଟିଏ ଅଣ୍ଡରବ୍ରିଜ୍ ଜରିଆରେ ଅଞ୍ଚଳକୁ ଯୋଡିବାକୁ ପ୍ରୟାସ କରାଯାଉଛି । କିନ୍ତୁ ସବୁଠାରୁ ଦୁଃଖ ଓ ହତାଶାର ବିଷୟ ହେଲା ଯେ, ମାତ୍ର ବାରଫୁଟ୍ ଉଚ୍ଚତା ବିଶିଷ୍ଟ ଅଣ୍ଡରବ୍ରିଜ୍ ନିର୍ମାଣ ଯୋଗୁଁ ଏହା ମଧ୍ୟ ଦେଇ କୌଣସି ବଡ ଯାନବାହନ ଚଳାଚଳ କରିପାରିବ ନାହିଁ । ଯଦ୍ୱାରା ମଧୁପୁର ସ୍କୁଲ ଓ ମଣ୍ଡିକୁ କୌଣସି ପରିବହନ ହୋଇପାରିବ ନାହିଁ । ସେହିପରି ଅଣ୍ଡରବ୍ରିଜ୍ କମ୍ ଉଚ୍ଚତା ଯୋଗୁଁ ଏହି ବ୍ୟସ୍ତବହୁଳ ରାସ୍ତା ଏବେ ଅଲୋଡା ହୋଇପଡିବ । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲାଞ୍ଜିଗଡ ବ୍ଲକର ଗୋବର୍ଦ୍ଧନପୁର, ନର୍ଲା ବ୍ଲକର ବଡଧାରପୁର, ଘଣ୍ଟମାଳ ଆଦି ପଞ୍ଚାୟତର ହଜାର ହଜାର ଲୋକେ ଦୁର୍ଦ୍ଦଶା ଭୋଗିବେ । ସେହିପରି ଯେଉଁସ୍ଥାନରେ ଅଣ୍ଡରବ୍ରିଜ୍ ସ୍ଥାପନ କରାଯାଇଛି ସେଠାରେ ଅତି ଖାଲୁଆ ଚାଷଜମି ରହିଛି ଯେଉଁଠି ସାମାନ୍ୟ ବର୍ଷା ହେଲେ ୧୦ରୁ ବାରଫୁଟ୍ ବର୍ଷାପାଣି ଜମିଥାଏ । ପୁଣି ପ୍ରତିବର୍ଷ ବନ୍ୟାରେ ଠିକ୍ ଏହିସ୍ଥାନରେ ହିଁ ରେଳପଥ ଉପରେ ବର୍ଷାଜଳ ପ୍ରବାହିତ ହୋଇଥାଏ । କିନ୍ତୁ ଏସବୁକୁ ଅଣଦେଖା କରି କୌଣସି ବୈଷୟିକ ଜ୍ଞାନକୌଶଳ ଉପଯୋଗ ନକରି ଏହାର ତ୍ରୁଟିପୂର୍ଣ୍ଣ ଡିଜାଇନ୍ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ନିର୍ମାଣକାରୀ ସଂସ୍ଥା ମଧ୍ୟ ଅତି ଖାମଖିଆଲି ଭାବେ ଏହି ଅଣ୍ଡରବ୍ରିଜ୍କୁ ବଙ୍କା କରି ଲଗାଇଥିବା ଦେଖିବାକୁ ମିଳୁଛି । ଫଳରେ ଅଞ୍ଚଳର ହଜାର ହଜାର ଲୋକଙ୍କ ଯାତାୟତ ବିଶେଷ କରି ପରିବହନ ଠପ୍ ହେବା ଆଶଙ୍କା ଦେଖା ଦେଇଥିବାବେଳେ ବର୍ଷାଦିନରେ ଅଣ୍ଡରବ୍ରିଜ୍ ବୁଡିଯିବା ସହ  ଯୋଗାଯୋଗ ଠପ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏପରିକି ରେଳପଥ ଉପରେ ବର୍ଷାଜଳ ପ୍ରବାହିତ ହେଲେ ଅଞ୍ଚଳର ଏକମାତ୍ର ନିର୍ଭରଯୋଗ୍ୟ ଲାଞ୍ଜିଗଡ ରୋଡ-ଜୁନାଗଡ ରେଳପଥର କ୍ଷତି ହେବା ଆଶଙ୍କା ଦେଖାଦେଇଛି । ଏଣୁ ରେଳ ବିଭାଗର ଉପରିସ୍ଥ କର୍ମକର୍ତ୍ତା ବେଳଥାଉଣୁ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ରେଳ ବିଭାଗ ବିରୁଦ୍ଧରେ ଏକ ବିରାଟ ଜନ ଆନ୍ଦୋଳନର ମୁଣ୍ଡ ଟେକୁଥିବାର ସୂଚନା ମିଳିଛି ।

Report by :

Sushil Kumar Bag, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.