୧୦୮ ଆମ୍ବୁଲାନ୍ସ ଟାୟାର ପଙ୍କଚର : ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ

ରାୟଗଡ/କଲ୍ୟାଣସିଂହପୁର,୧୬/୧୦ : କଲ୍ୟାଣସିଂହପୁର ବ୍ଳକରେ ୧୦୮ଆମ୍ବୁଲାନ୍ସର ଟାୟାର ପଙ୍କଚର ହେବାରୁ ଜଣେ ରୋଗୀ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଂହଚିବା ପରେ ଚିକିିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏ ନେଇ ମିଳିଥିବା ସୂଚନା ପ୍ରକାରେ କଲ୍ୟାଣସିଂହପୁର ବ୍ଳକର କରପା ଗ୍ରାମ ପଂଚାୟତର ସଦର ଗ୍ରାମର ସୋମନାଥ ବିଡିକାଙ୍କ ସ୍ତ୍ରୀ କଲ୍ୟାଣୀ ବିଡିକା (୨୦)ଙ୍କୁ ଜ୍ୱର ସହ ବାନ୍ତି ଲାଗି ରହିଥିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିବାରୁ ବୁଧବାର ଅପରାହ୍ନ ୩ଟା ସମୟରେ ସୋମନାଥ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଅପରାହ୍ନ ପ୍ରାୟ ୩ଟା ସମୟରେ ଆମ୍ବୁଲାନ୍ସ ଆସି କଲ୍ୟାଣୀଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିବା ସମୟରେ ବିନିଶପୁର ଛକଠାରେ ଆମ୍ବୁଲାନ୍ସଟିର ଗୋଟିଏ ଟାୟାର ପଙ୍କଚର ହୋଇଯାଇଥିଲା । ତେବେ ସେଠାରେ ଆଉ କୈାଣସି ଉପାୟ ନ ପାଇ ଆମ୍ବୁଲାନ୍ସ ଟିମ୍ ପକ୍ଷରୁ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇ ୧୫ ମିନିଟ ସମୟ ମଧ୍ୟରେ କଲ୍ୟାଣୀକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅପରପକ୍ଷେ ସ୍ୱାମୀ ସୋମନାଥ ବିଡିକା, ରୂପା କୁଲଶିକା ଓ ସାଙ୍ଗେନା କୁଟ୍ରୁକା ପରିବାର ବର୍ଗଙ୍କ ପକ୍ଷରୁ ଆମ୍ବୁଲାନ୍ସ ସେବାରେ କୈାଣସି ବ୍ୟାହାତ ହୋଇ ନଥିବା ବେଳେ ତାଙ୍କୁ ଦୀର୍ଘଦିନର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ମେଡିକଲ ଅଫିସରଙ୍କୁ ଲିଖିତ ପତ୍ର ପ୍ରଦାନ କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.