ରାୟଗଡ,୯/୬: ରାୟଗଡ ଜିଲ୍ଳାର ବିଷମକଟକ ବ୍ଳକରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ସେ ୨୭ବର୍ଷିୟା ଜଣେ ମହିଳା ବୋଲି ଜଣାପଡିଛି । ଦିଲ୍ଳୀରୁ ଫେରି ହୋମ କ୍ୱାରେନଟାଇନରେ ରହୁଥିବା ବେଳେ ତାଙ୍କୁ ଥଣ୍ଡା କାଶ ହୋଇଥିବାରୁ ସ୍ୱାବ ସଂଗ୍ରହ ପରେ ରିପୋର୍ଟ ପଜିଟିଭ୍ ଆସିବା ଯୋଗୁଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ଗଜପତି ଜିଲ୍ଳା କୋଭିଡ୍ ହସ୍ପିଟାଲକୁ ଗତ ରବିବାର ରାତ୍ରରେ ସ୍ଥାନାନ୍ତର କରାଯାଇଥିବା ନେଇ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ବିଷମକଟକ ବ୍ଳକର ଡୁକୁମ ରାସ୍ତା ଲେନରେ ଆକ୍ରାନ୍ତ ମହିଳା ଜଣଙ୍କ ହୋମ କ୍ୱାରେନଟାଇନରେ ରହୁଥିବା ହେତୁ ଉକ୍ତ ଅଂଚଳକୁ କନଟେଂଟମେଂଟ ଜୋନ ଭାବେ ଘୋଷଣା କରାଯାଇଛି ।
ବିଷମକଟକ ବ୍ଳକ ଅଗ୍ନିଶମ ବିଭାଗ ତରଫରୁ ଉକ୍ତ ଅଂଚଳକୁ ସାନିଟାଇଜ କରାଯାଇଥିଲା । ବିଷମକଟକ ବିଡିଓ ଅଲଭଟ ଲାକ୍ରା, ତହସିଲଦାର ଶୁଭେନ୍ଦ ଜେନା, ବିଷମକଟକ ଥାନା ଅଧିକାରୀ ଯଶୋବନ୍ତ ହିଆଲ,ଅଗ୍ନିଶମ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କନଟେଂଟମେଂଟ ଜୋନ ନିମନ୍ତେ ସମସ୍ତ ସୁବିଧାସୁଯୋଗର ସ୍ଥିତି ଅନୁଧ୍ୟାନ କରିଥିଲେ । ଦିଲ୍ଳୀରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଆକ୍ରାନ୍ତ ମହିଳା ଜଣକ ଦିଲ୍ଳୀରୁ ଭୁବନେଶ୍ୱର ଏବଂ ସେଠାରୁ ନିଜ ଗାଁ ବିଷମକଟକକୁ ଗତ ୨୨ତାରିଖ ଦିନ ଫେରିଥିଲେ । ତେବେ ୨୪ତାରିଖ ଦିନ ତାଙ୍କୁ ଥଣ୍ଡାକାଶ ଲକ୍ଷଣ ଦେଖା ଦେବା ପରେ ଆରଆରଟି ଟିମ୍ ପକ୍ଷରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି । ସେହିପରି ରାୟଗଡ ଜିଲ୍ଳାର ଜେକେପୁର ଠାରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭେନଟିଲେଟର ବ୍ୟବସ୍ଥା ଓ ରାୟଗଡ ଠାରେ କୋଭିଡ ସ୍ୱାବ ନମୂନା ପରୀକ୍ଷା ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ରାୟଗଡ ଜିଲ୍ଳାରେ ପ୍ରଥମ ଆକ୍ରାନ୍ତକୁ ଜୟପୁର, ଦ୍ୱିତୀୟ ଓ ତୃତୀୟଙ୍କୁ ପାରଳାଖେମୁଣ୍ଡି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ ରାୟଗଡ ଜିଲ୍ଳାରୁ ଗତ ୪ତାରିଖ ସୁଦ୍ଧା ୨୧ତମ ପର୍ଯ୍ୟାୟରେ ୧୪୩ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରେ ଜଣଙ୍କ ରିପୋର୍ଟ ପଜିଟିଭ୍ ହୋଇଥିବା ବେଳେ ବାକି ୧୪୨ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଜିଲ୍ଳାରୁ ବର୍ତମାନ ସୁଦ୍ଧା ୨୨୧୩ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ଯାଇଥିବା ବେଳେ ୨୨୧୦ଜଣଙ୍କ ରିପୋର୍ଟ ନେଗେଟିଭ ଓ ୩ଜଣଙ୍କ ପଜିଟିଭ୍ ଆସିଥିବା ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in