‘ବନ୍ଦେ କଳାହାଣ୍ଡି’ର କୃତଜ୍ଞତା ଜ୍ଞାପନ ପର୍ବ ମଳୟ ମେହେଫିଲ୍

କଳାହାଣ୍ଡି: କଳାହାଣ୍ଡିର ଶିକ୍ଷା ଓ ସାହିତ୍ୟ ଏବେ ପ୍ରଗତିଶୀଳ ରାସ୍ତାରେ ଆଗେଇ ଚାଲିଛି। କେବଳ ଏହା ବିକଶିତ ହେଉ ନାହିଁ ବରଂ ସମଗ୍ର ବିଶ୍ୱକୁ ଗୋଟେ ଦିଶା ଦେଖେଇବାର ପ୍ରୟାସ କରୁଛି। ପ୍ରାଗ ଐତିହାସିକ ସମୟରୁ ବର୍ତ୍ତମାନ ଯାଏଁ କ୍ରମଶଃ ଗୋଟେ ତୀବ୍ର ବେଗରେ ଦୌଡୁଥିବା ଏହି ବିକାଶର ଜୟଯାତ୍ରା ପଛରେ କେବଳ ଏହି ଅଂଚଳର ମାଟିମନସ୍କତା ହିଁ ପ୍ରମୁଖ କାରଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଭବାନୀପାଟଣା ସ୍ଥିତ ପ୍ରଗତି ଡିଗ୍ରୀ କଲେଜ ପରିସରରେ ମାସିକ ସମ୍ବାଦପତ୍ର ‘ବନ୍ଦେ କଳାହାଣ୍ଡି’ର ବନ୍ଧୁମିଳନ ଓ କୃତଜ୍ଞତା ଜ୍ଞାପନ ଉତ୍ସବ ‘ମଳୟ ମେହଫିଲ’ ଆୟୋଜିତ ହୋଇଯାଇଛି। ଏଥିରେ ଇଟାଲୀ ଭାଷାରେ କବି ଭବାନୀଶଙ୍କର ନିଆଲଙ୍କ କବିତାର ଅନୁବାଦକ ଇମାନୁଏଲା ରିଜୋଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀ ନିଆଲ ଏବଂ ଇଂ ଅଜୟ ପଣ୍ଡାଙ୍କୁ ଯଥାକ୍ରମେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିରେ ଏକବିଂଶ ଶତାବ୍ଦୀର ସାହିତ୍ୟ ଓ ଶିକ୍ଷାକୁ କଳାହାଣ୍ଡିର ଅବଦାନ ଶୀର୍ଷକ ଆଲୋଚନା ଏବଂ କବି ଶ୍ରୀ ନିଆଲଙ୍କ କବିତା ଚର୍ଚ୍ଚା ବିଷୟକ ଦୁଇଟି ସଂପାନରେ ଆଲୋଚକ ଭାବେ ଗାଳ୍ପିକ ସୁକାନ୍ତ ସାହୁ, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ଅଧ୍ୟାପକ ଗୋବିନ୍ଦ ସାହୁ, ଅଧ୍ୟାପକ ତପନ ରଥ, ଅଧ୍ୟାପକ ସତ୍ୟ ମୁଣ୍ଡଛିନା, କବି ସକିତ ରତେ, ସାମ୍ବାଦିକ ଦେବେନ୍ଦ୍ର ବିଶି, ଅଧ୍ୟାପକ ଜଗନ୍ନାଥ ତ୍ରିପାଠୀ ମଂଚାସିନ ଥିଲେ। ଡିଜିଟାଲ ପ୍ଲାଟଫର୍ମ ଗୁଗୁଲ ମିଟ ଯୋଗେ କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଥିଲେ ଇଟାଲୀୟ କବି ଇମାନୁଏଲା ରିଜୋ ଏବଂ ଏଲେସିଓ ଜେନିଚେଲି ।

ମଂଚ ପରିଚାଳନା କରିଥିଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା ଓ ଅଧ୍ୟାପକ ବଙ୍କିମ ମୁଣ୍ଡ। ବନ୍ଦେ କଳାହାଣ୍ଡି କାର୍ଯ୍ୟନିର୍ବାହୀ ସମ୍ପାଦକ ଇଂ ଫକୀରମୋହନ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ସହ ସମ୍ପାଦକ ସୁଶୀଲ କୁମାର ବାଗ ସ୍ୱାଗତ ଭାଷଣ ଦେଇଥିଲେ। ଧନ୍ୟବାଦ ଦେଇଥିଲେ ସହ ସମ୍ପାଦକ ସଚିନ ଜୈନ। ଏହି କାର୍ଯ୍ୟକ୍ରମରେ ଯୁବଲେଖକ ସୁଧୀର ଧଙ୍ଗଡାମାଝୀ, ଅଧ୍ୟାପିକା ଜ୍ୟୋତ୍ସ୍ନାମୟୀ ନିଆଲ, ସଂଜୀବ ମୁଣ୍ଡ, କବି ବିରଞ୍ଚି ମୁଣ୍ଡ, ଖୁସିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.