ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ମନୋଜ ଦାସଙ୍କ ସ୍ମୃତିସଭା

ଭବାନୀପାଟଣା: କଳାହାଣ୍ଡି ସ୍ଥିତ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମା ମାଣିକେଶ୍ବରୀ ଶାଖା ତରଫରୁ ସାପ୍ତାହିକ ୱେବ ଆଲୋଚନାଚକ୍ର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖକ ମନୋଜ ଦାସଙ୍କ ଏକାଦଶାହ ଉପଲକ୍ଷେ ଏକ ଶୋକସଭା ଜୁମ୍ ଅପ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଉପ ସଚିବ ହରିହର ଶୁକ୍ଳ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଡ. ଜୟଦେବ ସାହୁ, ଇନ୍ଦ୍ରାବତୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା, ମାଣିକେଶ୍ବରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ଶିକ୍ଷକ ହେମନ୍ତ କୁମାର ମୁଣ୍ଡ୍, ସ୍ତମ୍ଭକାର ତଥା ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଂଯୋଜକ ମନୋଜ କୁମାର ନାୟକ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ମନୋଜ ଦାସଙ୍କ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ ପ୍ରଭୃତି ସାମଗ୍ରିକ ସର୍ଜନାର ତାତ୍ତ୍ବିକ ଆଲୋଚନା କରାଯାଇଥିଲା।ଶ୍ରୀମା’, ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ମନୋଜ ଦାସ ଇଂରାଜୀ ଓ ଓଡ଼ିଆ ସାହିତ୍ୟର ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ଲେଖକ ଭାବେ ସମାଜର ସବୁ ସ୍ତରର ଘଟଣାକୁ ନିଜସ୍ଵ ରଚନାରେ ପ୍ରତିଫଳିତ କରି ସମଗ୍ର ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସଭାରେ ଆଲୋଚନା ହୋଇଥିଲା l ଜଣେ ପ୍ରତିଭା ସମ୍ପନ୍ନ ସାହିତ୍ୟିକଙ୍କୁ ହରାଇ ଓଡ଼ିଆ ସାହିତ୍ୟ ଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.