ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଜେପୁର ଠାରୁ ରାୟଗଡା ଜିଲ୍ଲାର କଲ୍ୟାଣିସିଂପୁରକୁ ସଂଯୋଗ କରୁଥିବା ରାସ୍ତାର ଦାନାରୀଗୁଡା ଗାଁ ନିକଟସ୍ଥ ବରଗଛ ଘାଟିରେ ଏକ ପିକଅପ୍ ଭ୍ୟାନ (ଓଡ଼ି- ୦୩ସି- ୩୦୬୪) ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଦେଖିବାଜୁ ମିଳିଛି। ଫଳରେ ଘଟଣା ସ୍ଥଳରେ ହିଁ ଚାଳକ ଦେବ କୁଆଁର(୩୩)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ ୨ ଘଣ୍ଟା ସମୟରେ ଏହି ପିକଅପ୍ ଭ୍ୟାନ ଗାଡ଼ିଟି ରାୟଗଡା ଜିଲ୍ଲା କଲ୍ୟାଣିସିଂ ପୁରଠାରୁ ଆମ୍ବପଟି ଚମ୍ପାବତୀ ଗାଡ଼ିରେ ଲୋଡ଼ କରି ଲାଞ୍ଜିଗଡ଼ ବ୍ଲକ ବିଜେପୁର ଦେଇ ବଲାଙ୍ଗୀର ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ବିଜେପୁର ଥାନା ଅନ୍ତର୍ଗତ ଦାନାରୀଗୁଡା ଗାଁ ନିକଟସ୍ଥ ବରଗଛ ଘାଟିର ଉଠାଣିରେ ଉଠି ନପାରି ଭାରସାମ୍ୟ ହରାଇ ପ୍ରାୟ ଢେଡ଼ ଶହ ପୁଟ ତଳକୁ ଖସି ଓଲଟି ପଡିଥିଲା। ଏହି ଖବର ପାଇ ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ବିଜୁଛାତ୍ର ଜନତା ଦଳ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ ଘଟଣା ସ୍ଥଳରେ ପହଞ୍ଚି ବିଜେପୁର ଥାନାକୁ ଜଣାଇଥିଲେ। ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଓ କଲ୍ୟାଣିସିଂପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳେ ପହଞ୍ଚି ନିକଟସ୍ଥ ଗାଁ ଦାନାରୀଗୁଡା, କଳାକୁପା ଓ ବିଜେପୁର ଲୋକଙ୍କ ସହାୟତାରେ ପିକଅପ୍ ଭ୍ୟାନଟିକୁ ଉଠାଇ ଭ୍ୟାନ ତଳେ ଚାପି ହୋଇଯାଇଥିବା ଚାଳକର ମୃତ ଦେହକୁ ଉଦ୍ଧାର କରିଥିଲେ। ପୋଲିସ ଶବ ଜବତ କରି କେସ ନଂ ୨୦ ସେକ୍ସନ ୨୭୯/୩୦୪ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠା ଯାଇଛି ବୋଲି ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସ ପ୍ରକାଶ କରିଛନ୍ତି।ତେବେ ଶବଟି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ରେ ମଙ୍ଗଳବାର ସନ୍ଧ୍ୟା ୮ରେ ପହଁଚି ଥିବା ଯୋଗୁଁ ଆଜି (ବୁଧବାର) ସକାଳେ ବ୍ୟବଛେଦ କରାଯିବ ବୋଲି ଡାକ୍ତରଙ୍କ ଠାରୁ ସୂଚନା ମିଳିଛି। ଗାଡି ଚାଳକ ବଲାଙ୍ଗୀର ଜିଲ୍ଲା ମୁରିବାହଲ ବ୍ଲକ ବାଗବାହିଲି ଗ୍ରାମର ଶିବ କୁଆଁରଙ୍କ ପୁଅ ଦେବ କୁଆଁର ବୋଲି ଜଣା ପଡ଼ିଛି।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in





