ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ: ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ନୂଆପଡା: ସଦର ବ୍ଲକ ଡ଼ୁମେରପାଣି ଧାନ ମଣ୍ଡିରେ ପ୍ରାୟ ୧୦ ହଜାର ବସ୍ତା ଧାନ ପଡି ରହିଛି। ୧୦ ଦିନ ହେବ ଚାଷୀ ଦିନ ରାତି ନିଜର ଧାନକୁ ମଣ୍ଡିରେ ଜଗି ବସିଛନ୍ତି। ସେପଟେ ମିଲର୍ସ ଜାଣି ଶୁଣି ମଣ୍ଡିରେ ପଡି ରହି ଥିବା ଧାନକୁ କିଣୁ ନଥିବା ନେଇ ଆଜି ପ୍ରାୟ ୨ ଘଣ୍ଟା ଏନ.ଏଚ୍ ୩୫୩କୁ ଗୋତମା ଛକ ଠାରେ ଚାଷୀ ରାସ୍ତା ଅବରୋଧ କରିଥିଲେ।


ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ଅଦିନିଆ ବର୍ଷା ହେବା ଫଳରେ ଅନେକ ଚାଷୀଙ୍କ ଧାନ ବର୍ଷା ପାଣିରେ ନଷ୍ଟ ହୋଇ ଯାଇଛି। ପୁଣି ନିୟମ ଅନୁସାରେ ୧୨ ଦିନରେ ଚାଷୀଙ୍କୁ ଦିଆ ଯାଇଥିବା ଟୋକାନ ଲେପ୍ସ ହୋଇଯିବା ବେଳେ ଆଜିକୁ ୧୦ ଦିନ ହେବ ଧାନ ମଣ୍ଡିରୁ ଉଠୁ ନାହିଁ। ଡ଼ୁମେରପାଣି ଧାନ ମଣ୍ଡିରେ ହେଉଥିବା ଏପରି ଅବ୍ୟବସ୍ଥା ପାଇଁ କେବେଳ ପ୍ରଶାସନ ହିଁ ଦାୟୀ ବୋଲି କହିବା ସହ ପ୍ରତିବାଦ ସ୍ବରୂପ ଚାଷୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।


ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ତୁରନ୍ତ ସେଠାକୁ ଯାଇ ପହଂଚି ଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଥଣ୍ଡୁରାମ ନାୟକ ପହଞ୍ଚି ଚାଷୀଙ୍କୁ ବୁଝା ସୁଝା କରିଥିଲେ। ଶ୍ରୀ ନାୟକ ୨ ରୁ ୩ଦିନ ମଧ୍ୟରେ ସମସ୍ତ ଧାନ ଉଠାଇ ନେବାକୁ ପ୍ରତିଶୃତି ଦେବା ପରେ ଚାଷୀ ରାସ୍ତାରୋକରୁ ଓହରି ଯାଇ ଥିଲେ। ଏହି ରାସ୍ତାରୋକରେ ଚାଷୀନେତା ପ୍ରମୋଦ ସାହୁ, ମନୋଜ ସାହୁ, ନନ୍ଦ କିଶୋର ସାହୁ, ରାଜେଶ ସାହୁ, ଡିକନ ସାହୁ, ଭାମନ ଲାଲ ମାଝୀ, ଟେକରାମ ସାହୁ, ନନ୍ଦୁମାଝୀ, ଭିକମ ଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.