● ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଧ୍ୟାନ ଦେବେ କି?
କଳାହାଣ୍ଡି, (ନବୀନ କିଶୋର ସାହୁ): ଭୀଷଣ ଗ୍ରୀଷ୍ମ ପ୍ରବାହ ସମୟରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ। ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି। କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀର କର୍ଲାମୁଣ୍ଡା, ମ.ରାମପୁର ଓ ନର୍ଲା ବ୍ଲକରେ ବିନା କାରଣରେ ଘନ ଘନ ବିଦ୍ୟୁତ କାଟ ହେଉଛି। ଅଘୋଷିତ ବିଦ୍ୟୁତ ବିଭ୍ରାଟରେ ଘାଣ୍ଟି ହେଉଛନ୍ତି ଶହ ଶହ ଗ୍ରମର ଜନ ସାଧାରଣ। ତୁହାକୁ ତୁହା ବିଦ୍ୟୁତ କାଟ ପରେ କେତେବେଳେ ଆସୁଛି କେତେବେଳେ ଯାଉଛି ତା’ର କିଛି ଠିକ୍ ଠିକଣା ନାହିଁ। ସେପଟେ କାହିଁକି ଏତେ ମାତ୍ରାରେ ବିଦ୍ୟୁତ ବିଭ୍ରାଟ ହେଉଛି ତା’ର ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଅଘୋଷିତ ବିଦ୍ୟୁତ କାଟ ବଢୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଲିବାରେ ଲାଗିଛି। ପାଖାପାଖି ୧୫ ଦିନ ଅଧିକ ସମୟ ହେଲା ଠିକ୍ ରେ ବିଦ୍ୟୁତ ପାଇବାରୁ ବଞ୍ଚିତ ହେଉଛନ୍ତି ଏହି ଅଞ୍ଚଳବାସୀ। ପ୍ରବଳ ଗରମ ଗୁଲୁଗୁଲିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ବିଜୁଳୀର ଲୁଚକାଳି ଖେଳ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢାଇଦେଇଛି। ଗଛରେ ପତ୍ର ହଳିବା ମାତ୍ରେ ବିଦ୍ୟୁତ କାଟି ଦିଆ ଯାଉଛି। ବର୍ଷା ହେଲେ ଘଣ୍ଟା ଘଣ୍ଟା ଅନ୍ଧାର ରେ ରହିବାକୁ ପଡୁଛି। କର୍ଲାମୁଣ୍ଡା ବ୍ଲକର ରିଞ୍ଜା, ରିଷିଡା, ରାଜପୁର, ଯୋରାଡବରା, ରେଗେଡା, ସାପଲହରା, ତେରେସିଙ୍ଗା, ସ.ମାଳପଡା, ଗଜବାହାଳ, ପୌରକେଲା, ବୋରପଦର ଓ କର୍ଲାମୁଣ୍ଡା ଅଞ୍ଚଳରେ ବିଦ୍ୟୁତ କାଟ ଲୋକଙ୍କ ଦେହସୁଆ ହୋଇ ସାରିଲାଣି। ବିଜୁଳି କାଟ ଯୋଗୁଁ ଲୋକ ପାଣି ପାଇବାରେ ମଧ୍ୟ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଯଥା ଶିଘ୍ର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ କେବଳ ନର୍ଲା ନିର୍ବାଚନ ମଣ୍ଡଳୀ ନୁହଁ, କଳାହାଣ୍ଡି ସାରା ବିଦ୍ୟୁତର ଲୁଚକାଳି ଖେଳ ଚାଲିଛି ତେଣୁ ମାନ୍ୟବର ଶକ୍ତି ମନ୍ତ୍ରୀ ଏ ଦିଗରେ ଧ୍ୟାନ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।