ଲାଞ୍ଜିଗଡ଼,୨୧/୨: ଜନସାଧାରଣଙ୍କ ମଧ୍ୟରେ ସଚେତନତା ସହିତ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ ଓ ସଶକ୍ତ କରାଇବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପିଠା କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ସଫଳତାର ସହ ଶେଷ ହୋଇଛି । ତେବେ ଏହି ମହତ୍ୱପୂର୍ଣ୍ଣ ଯୋଜନାକୁ ସଫଳ ରୂପାୟନ ସହ ଆୟୋଜନ କରିବାରେ ବ୍ଲକର ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଚର୍ଚ୍ଚାରେ ରହିଛି ।
ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପଞ୍ଚାୟତ ଅଞ୍ଚଳର ଚାରି ହଜାରରୁ ଉର୍ଧ ଜନସାଧାରଣ ଯୋଗଦେବା ଏକ ଉଲ୍ଲେଖନୀୟ ପ୍ରସଙ୍ଗ ହୋଇଥିବାବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ଅନ୍ୟ ସମସ୍ତ ବିଭାଗର ସହଯୋଗ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇଛି । ଏଥିରେ ପଞ୍ଚାୟତ ଅଞ୍ଚଳର ୧୭ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସ୍ୱତନ୍ତ୍ର ପୁରସ୍କାର ମିଳିଥିବାବେଳେ ୪ଜଣଙ୍କୁ କଳାକାର ଭତ୍ତା ଦିଆଯାଇଥିଲା ।
ସେହିପରି ହଜାରେରୁ ଉଦ୍ଧ୍ୱର୍ ଚାଷୀ, ନାମମାତ୍ର ଚାଷୀ କାଳିଆ ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବାବେଳେ ୯୨୫ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବା ଚର୍ଚ୍ଚାର କାରଣ ପାଲଟିଥିଲା । ସେହିପରି ପାଞ୍ଚଶହ ହିତାଧିକାରୀଙ୍କୁ ଆମଘରେ ଏଲ୍ଇଡି ଯୋଜନାରେ ସାମିଲ କରାଯାଇଥିବାବେଳେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ମହିଳାଙ୍କ ମଧ୍ୟରୁ ୫୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ୱାରା ନିର୍ମିତ ପିଠା ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ବାଲୁକା କଳା ଅତୀବ ଆକର୍ଷଣୀୟ ଥିଲା ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ବ୍ଲକ ସରପଞ୍ଚ ସଂଘର ସଭାପତି ଟଙ୍କଧର ମାଝୀ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଶିକ୍ଷାବିତ୍ ତପନ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମିଶ୍ର, କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ଗୋବର୍ଦ୍ଧନପୁର ସମିତିସଭ୍ୟ ଚିତ୍ରସେନ ମାଝୀ, ନାଏବ ସରପଞ୍ଚ ଉର୍ମିଳା ଛତର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପ୍ରଶଂସା କରିଥିଲେ ।
ସରପଞ୍ଚ ସୁରେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଭା ପରିଚାଳନା କରିଥିଲେ ଗୋପାଳଦାସ ମହାନନ୍ଦ ଓ କୌତୁକ ଖମାରୀ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବୀରବାଦ୍ୟ ଘୁମୁରା, ବଜାଶାଲ, ସଂକୀର୍ତ୍ତନ ସମେତ ଦଣ୍ଡନୃତ୍ୟ ମୁଖ୍ୟ ଆକର୍ଷଣ ପାଲଟିଥିଲା ।