ଧରଣୀ ପୀଠରେ ନବାନ୍ନ ଲାଗି ପରେ ନୂଆଖାଇଲେ ସର୍ଗିଗୁଡା ଗ୍ରାମବାସୀ

କଳାହାଣ୍ଡି, ୧୧|୯ (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ଗଣପର୍ବ ନୂଆଖାଇ । ଏଥିପାଇଁ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇଉଠିଛି । ପ୍ରଥମେ ଦେବାଦେବୀ ମାନଙ୍କ ପାଖରେ ନବାନ୍ନ ଅର୍ପଣ ହେବାପରେ ଜନସାଧାରଣ ନୂଆଖାଇଥାନ୍ତି । ଆଉ ପ୍ରତ୍ୟେକ ଗ୍ରାମରେ ଧରଣୀ ଦେବୀ ରହିଛନ୍ତି ଗ୍ରାମକୁ ସୁରକ୍ଷା ଦେଇ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ସର୍ଗିଗୁଡା ଗ୍ରାମରେ ଆଜି ଦିବା ୧୧ ଘଣ୍ଟା ସମୟରେ ଗ୍ରାମଦେବୀ “ଧରଣୀ”ଙ୍କୁ ପାରମ୍ପାରିକ ରୀତି ନୀତିରେ ପୂଜାର୍ଚ୍ଚନା କରି ନବାନ୍ନ ଭୋଗଲାଗି କରିଛନ୍ତି । କଳାହାଣ୍ଡିରେ ଆଦିବାସୀ ପରମ୍ପରା ଓ ସଂସ୍କୃତି ରହି ଆସିଛି । ଏଣୁ ଗ୍ରାମର ଧରଣୀ ଦେବୀଙ୍କୁ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ “ଜାନୀ” ହିଁ ପୂଜା କରିବାର ବିଧି ରହିଛି । ଚଳିତ ବର୍ଷ ଉତ୍ପାଦିତ ହୋଇଥିବା ପ୍ରଥମ ଫସଲ ନୂଆଧାନ କେଣ୍ଡା ଧରଣୀ ଦେବୀଙ୍କ ସମୀପରେ “ଖେଡ୍’ସୁଆ” କରି ଚାଷ, ଚାଷୀ ଓ ଗ୍ରାମର ମଙ୍ଗଳ ମନାସୀ ଗ୍ରାମର ଗାଁଉଟିଆ ଶେଷଦେବ ନାଏକଙ୍କ ସହ ସର୍ଗିଗୁଡା ଗ୍ରାମର ଜାନୀ ଅପିନ୍ଦ୍ର ମାଝୀ, ଝାଙ୍କର , ଗଣା ଗୌର ସୁନା. ସହଯୋଗୀ ବୈକୁଣ୍ଠ ମାଝୀ, ଆଶାଢୁ ମାଝୀ ପ୍ରମୁଖ ପୂଜା କରିଛନ୍ତି ।

Omkar Vasthu
Omkar Vasthu


ପରମ୍ପରା ଅନୁଯାଇ ନୂଆଖାଇ ଦିନର ପୂର୍ବଦିନ “ରୁଗିବଲା” କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ଗ୍ରାମର ଜାନୀ ଓ ଝାଙ୍କର । ଗ୍ରାମକୁ ରୋଗ ପ୍ରବେଶ କରିପାରିବ ନାହିଁ । ଗ୍ରାମର ଜନସାଧାରଣ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ସେଥିପାଇଁ ଏହି “ରୁଗିବଲା” ପରମ୍ପରା । ଏହାର ଅର୍ଥ ଯେତେ ରୋଗ, ଦୁଃଖ, କଷ୍ଟ ରହିଛି ତାକୁ “ରୁଗିବଲା” ମାଧ୍ୟମରେ ପୂଜା ବିଦ୍ଧି କରି ବିଦାୟ କରିଦେବା । ଘରର ଗୃହକର୍ତ୍ତା ଧୂପଦେଇ ଘର ଭିତର ସାରା ବୁଲାଇ ଆଣିବା ପରେ ଏହି ସାମଗ୍ରୀକୁ ନେଇ ଗାଁ ଦାଣ୍ଡରେ ନେଇ ରଖିଥାନ୍ତି । ତାକୁ ଏକାସାଙ୍ଗରେ ଗ୍ରାମର ଜାନୀ ଓ ଝାଙ୍କର ନେଇ ଗ୍ରାମର ଶେଷ ମୁଣ୍ଡରେ ରୋଗ, ଦୁଃଖକୁ ବିଦାୟ ଦେଇ ଫେରିଥାନ୍ତି । ନୂଆଖାଇ ପୂର୍ବରୁ ପ୍ରତିବର୍ଷ ଗ୍ରାମର ଧରଣୀ ଦେବୀଙ୍କୁ ମଧ୍ୟ ସ୍ୱତନ୍ତ୍ର ପୂଜା କରାଯିବାର ପରମ୍ପରା ଆବହମାନ କାଳରୁ ରହିଆସିଛି । ପ୍ରଥମେ ଗ୍ରାମର ଜାନୀ ଅପିନ୍ଦ୍ର ମାଝୀ ପବିତ୍ର ଜଳରେ ଧରଣୀ ଦେବୀଙ୍କୁ ସ୍ନାନ ମାର୍ଜନା କରିଥିଲେ । ଏହାପରେ ସିନ୍ଦୁର, ଚନ୍ଦନ, ଧୂପ, ଦୀପ ଓ ପୁଷ୍ପ ପ୍ରଦାନ କରିବା ପରେ ନଡିଆ, କଦଳୀ, ନୂଆଚୁଡା ର ନୈବେଦ୍ୟ ଅର୍ପଣ କରି ପୂଜା କରିଥିଲେ । ଏହାପରେ ବଳିପ୍ରଥା ଅନୁଯାଇ କୁକୁଡା ବଳି ଓ ସୁରା ଅର୍ପଣ କରିଥିଲେ ଦେବୀଙ୍କୁ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗ୍ରାମର ଭକ୍ତ ବୃନ୍ଦ ଆଣିଥିବା କୁକୁଡା ଗୁଡିକ ଦେବୀଙ୍କ ନିକଟରେ ବଳୀ ପ୍ରଦାନ କରାଯାଇ ଧରଣୀ ଦେବୀ, ମାଇଲି, ବୁଢାଡଙ୍ଗର, କର୍ଲା ଡଙ୍ଗର, ଗବଡାବୁଡା ଦେବତାଙ୍କ ନିକଟରେ ଗ୍ରାମର ସଦା ସର୍ବଦା ସୁରକ୍ଷା ଓ ମଙ୍ଗଳ ମନାସି ପ୍ରାର୍ଥନା କରିଥିଲେ ଜାନୀ, ଝାଙ୍କର, ଗଣା ଓ ସହଯୋଗୀ ଆଶାଢୁ ମାଝୀ, ବୈକୁଣ୍ଠ ମାଝୀ, ବରୁଣ ବଗର୍ତ୍ତି । ଇତ୍ୟବସରରେ ଗ୍ରାମର ସାନ ଗାଉଁଟିଆ ପରିବାରର ଦାୟାଦ ବିରେନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ୱାର୍ଡ ସଭ୍ୟ ଭୈରବ ପୋଢ, ହରେକୃଷ୍ଣ ନାଗ, କିଶୋର ନାଏକ, ରମେଶ ନାଏକ, ଗଜୀନ୍ଦ୍ର ମାଝୀ, ସଞ୍ଜୟ ନାଏକ, ମଗନିଆ ସେଠୀ, ଯୁଗେଶ୍ୱର ବିଶ୍ୱାଳ । ସୁନାଧର ମାଝୀ, ରମେଶ ପୋଢ, ମିଥୁନ ପ୍ରମୁଖ ଧରଣୀପୂଜା ପରିଚାଳନା କରିଥିଲେ । ବାସ୍ତବିକ ନୂଆଖାଇ ଅବସରରେ ଧରଣୀ ଦେବୀଙ୍କ ପୂଜା ଅନନ୍ୟ ଓ ନିଆରା ପରମ୍ପରା ଅଟେ । ସର୍ଗିଗୁଡା ଧରର୍ନୀ ପୂଜା ପରେ ଗ୍ରାମର ରାଧାକୃଷ୍ଣଙ୍କ ପୀଠ ପ୍ରହରୀ ମଣ୍ଡପର ମଧ୍ୟ ଭୋଗଲାଗି ହୋଇଥିବା ନୂଆଚୁଡା ଗ୍ରାମବାସୀଙ୍କ ମଧ୍ୟରେ ଅର୍ପଣ କରାଯାଇ ସମସ୍ତେ ନୂଆବସ୍ତ୍ର ପରିଧାନ କରି ନୂଆଅନ୍ନ ସେବନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.