ରାକ୍ସି ଠାରେ ବିହନ ବିଶୋଧନ ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା କୃଷି ବିଭାଗ ପକ୍ଷରୁ ଭାନପୁର ପଞ୍ଚାୟତର ରାକ୍ସି ଗ୍ରାମଠାରେ ବିହନ ବିଶୋଧନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କ ନେତୃତ୍ବରେ ୫୦ ଜଣ ମହିଳା ଚାଷୀ ସାମଜିକ ବ୍ୟବଧାନ, ମାସ୍କ ପରିଧାନ ଓ ସାନିଟାଇଜର ପ୍ରଲେପ କରି ତାଲିମ ଗ୍ରହଣ କରିଥିଲେ। ପ୍ରଥମେ ଭାନପୁର ଗ୍ରାମ୍ୟ କୃଷି କିର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବାସହ ତାଲିମ ଶିବିରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।


ଏହି ତାଲିମ୍ ଶିବିରରେ ପ୍ରଶିକ୍ଷକ ଭାବରେ ବାଗପୁର ଏଓ ପରାସର ନାଏକ ଯୋଗଦେଇ ଧାନ, ମୁଗ, ବିରି ପ୍ରଭୃତି ଶସ୍ୟ ବିହନ ବୁଣିବା ପୂର୍ବରୁ ବିହନକୁ କିପରି ବିଶୋଧନ କରାଯିବ ସେନେଇ ଶିବିରରେ ଉପସ୍ଥିତ ଚାଷୀଙ୍କୁ ବିଷଦ ଭାବରେ ବୁଝାଇଥିଲେ। ଏହାସହ ୫ କିଲୋ ଧାନ ବିହନକୁ ମାଟି ହାଣ୍ଡିରେ ଭରି ଔଷଧ ପ୍ରୟୋଗ କରି ବିଶୋଧନ ପ୍ରଣାଳୀ ଓ ପ୍ରକ୍ରୀୟା କରି ଦେଖାଇ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ପ୍ରଥମ କରି ନର୍ଲା ବ୍ଲକ୍ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଇନ୍ଦ୍ରମାଳର ମା’ ସମଲେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଜରିଆରେ ଏହି ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


ଶିବିରରେ ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏଓ ଉତ୍ସବ ବିହାରୀ କପା ଚାଷ ସମ୍ବନ୍ଧରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ। କପା ଚାଷରେ ଉତ୍ତମ ମାନର ବିହନ ନିରୁପଣ, କ୍ଷେତ୍ର ପ୍ରସ୍ତୁତି, ପ୍ରଯୁଜ୍ୟ ରହିଥିବା ସାର, କୀଟନାଶକ ଔଷଧ ସିଞ୍ଚନର ପ୍ରକ୍ରୀୟା ଓ ଆବଶ୍ୟକୀୟ ପାଣି ମଡାଇବା ଭଳି କପା ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ବିଷୟରେ ଚାଷୀଙ୍କୁ ବୁଝାଇଥିଲେ। ଭାନପୁର କୃଷକ ସାଥୀ ଉମେଶ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.