ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୬: ଗୋସିଂହ ଦୈତ୍ୟଙ୍କ ନଗର ଭ୍ରମଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜେନାବଳୀ ନଗ୍ରର ଅଧିଶ୍ବର ମହାପ୍ରତାପୀ ସମ୍ରାଟ ଗୋସିଂହ ଦୈତ୍ୟ ସୁସଜ୍ଜିତ ରଥରେ ଉପବେସନ କରି ରାଜ୍ୟ ଭ୍ରମଣରେ ବାହାରିଛନ୍ତି। ସାଙ୍ଗରେ ଅଛନ୍ତି ପାତ୍ରମନ୍ତ୍ରୀ ଓ ଅମାତ୍ୟବୃନ୍ଦ। ବାଦ୍ୟନାଦ ସହ ନର୍ତ୍ତକୀମାନଙ୍କ ନୃତ୍ୟରେ କମ୍ପି ଉଠୁଛି ଗଗନ ପବନ। ସ୍ଥାନେ ସ୍ଥାନେ ପ୍ରଜାଗଣ ମହାରାଜଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି। ପ୍ରଜାଙ୍କ ହାରି ଗୁହାରୀ ଶୁଣି ସେସବୁର ସମାଧାନ ପାଇଁ ଆମତ୍ୟମାନଙ୍କୁ ନିର୍ଦେଶ ଦେଉଛନ୍ତି ସମ୍ରାଟ। ଝଲସି ଉଠୁଛି ଦ୍ଵାପର ଯୁଗର ଚିତ୍ର। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗିରି-ବୁଢୀପଦର ଅଞ୍ଚଳରେ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଆରମ୍ଭ ହୋଇଛି। ରବିବାର ଦିନ ସମ୍ରାଟ ଗୋସିଂହ ଦୈତ୍ୟ ପ୍ରଥମେ ଦେବଗିରିକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ଓ ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ରାଜ ଅତିଥି ଭାବେ ଯୋଗଦେଇ ନଗର ଭ୍ରମଣ ରଥର ଶୁଭ ଉଦଘାଟନ କରିଥିଲେ। ଏହାପରେ ମହାରାଜ ବୁଢୀପଦର ଦେଇ ରୁପ୍ରାରୋଡରେ ପହଞ୍ଚିଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଖିଳ ଭାରତୀୟ ମାରଓ୍ବାଡି ସମ୍ମେଳନ ପକ୍ଷରୁ ସମ୍ରାଟଙ୍କୁ ସ୍ବାଗତ ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଅଖିଳ ଭାରତୀୟ ମାରଓ୍ବାଡି ସମ୍ମେଳନ ରୁପ୍ରାରୋଡର ଅଧ୍ୟକ୍ଷ ସୁମିତ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ମହେଶ ଅଗ୍ରଓ୍ବାଲ, ରୁପଚନ ଜୈନ, ମାରଓ୍ବାଡି ଯୁବା ମଞ୍ଚ ଅଧ୍ୟକ୍ଷ ଅମିତ ଅଗ୍ରଓ୍ବାଲ ଓ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନିରଜ ଶର୍ମା। ସମ୍ରାଟ ଗୋସିଂହ ଦୈତ୍ୟଙ୍କୁ ବୁଢ଼ୀପଦର ଓ ରୁପ୍ରାରୋଡ ବସ୍ତିର ଘରେ ଘରେ ବନ୍ଦାପନା କରି ଭବ୍ୟ ସ୍ବାଗତ କରିଥିଲେ। ଏହି ସମୟରେ ନର୍ଲା ବ୍ଳକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢ଼ୀପଦର ପରିସରରେ ପ୍ରତ୍ୟକ ସନ୍ଧ୍ୟାରେ ଗୋସିଂହ ଦୈତ୍ୟ ଦରବାର ବସିବ, ଏଥିରେ ଅଞ୍ଚଳବାସୀ ଯୋଗଦାନ କରିବାକୁ ଏହି ଅବସରରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.