✍🏼ବିଶ୍ବବିଜୟୀ ଦାଶ
ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ ଜୁଲାଇ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥାଏ ବନମହୋତ୍ସବ ସପ୍ତାହ। ୧୯୫୦ ମସିହା ଠାରୁ ପ୍ରତିବର୍ଷ ଜୁଲାଇ ପହିଲାରୁ ସପ୍ତାହ ବ୍ୟାପୀ “ବନମହୋତ୍ସବ” ପାଳନ ହୋଇ ଆସୁଅଛି। ମାନବ କଲ୍ୟାଣ ବ୍ରତର ଧାରକ ଓ ବାହକ ସ୍ବରୂପ ଏହି ବନ ମହୋତ୍ସବ ସ୍ୱାଧୀନ ଭାରତରେ ଏକ ଜାତୀୟ ଉତ୍ସବ ରୂପେ ପରିଗଣିତ।
ଶ୍ୟାମଳ ବନଶ୍ରୀରେ ସୁମଣ୍ଡିତା ପ୍ରକୃତିର ପ୍ରିୟ ଭୂମି ଭାରତବର୍ଷ ତା’ର ରମ୍ୟ କୋଳରେ ବହୁ ଜଗତପ୍ରସିଦ୍ଧ ଯୋଗୀ, ଋଷି, ତ୍ୟାଗୀ ଏବଂ ବୀର ସନ୍ତାନମାନଙ୍କୁ ପାଳନ କରି ବିଶ୍ୱବନ୍ଦା ହୋଇପାରିଛି।
ଅରଣ୍ୟ ସଭ୍ୟତାର ପ୍ରତିଭୁ ଏହି ସୁମହାନ ଭାରତ ଭୂମିର ଆଧ୍ୟାତ୍ମିକ ଚିନ୍ତା ଅତୀତରେ ସମଗ୍ର ବିଶ୍ୱକୁ ଚମତ୍କୃତ କରିଥିଲା। ଆଜି କିନ୍ତୁ କେତେକ ଆଦୈବିକ କାରଣବଶତଃ ବଣ, ଜଙ୍ଗଲ ଛୁଟିଛି ବିଲୁପ୍ତିର ପଥେ। ପ୍ରକୃତିର ସ୍ନିଗ୍ଧ ଶ୍ୟାମଳ ଶୋଭାକୁ ଧ୍ଵସ୍ତବିଧ୍ୱସ୍ତ କରି ଓ ରୁକ୍ଷ କଠୋର ରସନା ବିସ୍ତୁତ କରି ମରୁ-ଅଜଗର ଜାଗି ଉଠିଛି ସଭ୍ୟତାର ପ୍ରାଣନାଶ କରିବାକୁ। ଜଙ୍ଗଲରୁ ବୃକ୍ଷ କଟା ହେବା ଦ୍ବାରା ଋତୁ ବିପର୍ଯ୍ୟୟ , ବୃଷ୍ଟିହୀନତା ଆଦି ଦେଖାଦେଉଛି। ପ୍ରକୃତିର ଅମୂଲ୍ୟ ଭୂଷଣ ହରିତ ବୃକ୍ଷରାଜିର ଉପଯୋଗିତାକୁ ଅସ୍ବୀକାର କରିବା ମାନବ ପକ୍ଷରେ ସହଜ ନୁହେଁ। ଏହି ବୃକ୍ଷ ନିଷ୍ଣୁର ନିଦାଘର ପ୍ରଚଣ୍ଡ ପୀଡ଼ନରୁ ପଶୁ, ପକ୍ଷୀ, ପଥକ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ରକ୍ଷା କରି ସନ୍ତୋଷ ପ୍ରଦାନ କରେ। ଆମର ଦୈନନ୍ଦିନ ପ୍ରୟୋଜନୀୟ ଇନ୍ଧନ, ଗୃହସଜା ଓ ଗୃହ ନିର୍ମାଣର ଉପକରଣ, ପଶୁର ଖାଦ୍ୟ, ନାନା ଜାତିର ସୁମିଷ୍ଟ ଫଳ, ଔଷଧ, ରଙ୍ଗ ଇତ୍ୟାଦି ମିଳିଥାଏ ଅରଣ୍ୟରୁ। ଏହା ବ୍ୟତୀତ କେନ୍ଦୁପତ୍ର, ଲାଖ, ସବାଇଘାସ, ସୁନାରୀଛେଲି, କୋଚିଳାଫଳ, ହରିଡ଼ା, ବାହାଡ଼ା, ମହୁଲ, ବେତ, ଶାଳମଞ୍ଜି ଇତ୍ୟାଦି ମୂଲ୍ୟବାନ ବଣ୍ୟସମ୍ପଦ ରାଷ୍ଟ୍ରର ଏକ ଜାତୀୟ ସମ୍ପଦ।
ଅର୍ଥନୈତିକ ଦୃଷ୍ଟିକୋଣରୁ ଅରଣ୍ୟର ମୂଲ୍ୟ ଯଥେଷ୍ଟ ଅଧିକ। ବାୟୁ ପ୍ରବାହକୁ ଏହା କରେ ବିଶୁଦ୍ଧ ଓ ଶୀତଳ। ତା’ର ଶ୍ୟାମଳଶ୍ରୀ ମନୁଷ୍ୟର କାମନାରେ ଦିଏ ମୁକ୍ତି, ପୁଣି ତାକୁ ପ୍ରଦାନ କରେ ସୁଧ ଓ ଶୀତଳ ଛାୟା। ଅରଣ୍ୟ ଦେଶର ଜଳବାୟୁ ଓ ବୃଷ୍ଟିପାତକୁ ନିୟନ୍ତ୍ରଣ କରେ। ପାର୍ବତ୍ୟ ଅଞ୍ଚଳରେ ବଡ଼ ବଡ଼ ବୃକ୍ଷଗୁଡ଼ିକ ମୃଭିକାର ସଂହତି ରକ୍ଷା କରି ଓ ବର୍ଷାର ଜଳେଚ୍ଛାସକୁ ସଂଯତ କରି ଦେଶକୁ ଭୟଙ୍କର ଜଳପ୍ଲାବନରୁ ରକ୍ଷା କରନ୍ତି। ଜମିର ଉର୍ବରତା ରକ୍ଷା, ଭୂଗର୍ଭର ଜଳ ସ୍ତରକୁ ଅଧୁକ ନିମ୍ନଗାମୀ ନ କରିବା ଇତ୍ୟାଦିରେ ବୃକ୍ଷରାଜିର ଅବଦାନ କିଛି ନ୍ୟୁନ ନୁହେଁ। ବାସ୍ତବରେ ବନସ୍ପତିର ଉପଯୋଗିତା ମାନସିକ, ସାଂସ୍କୃତିକ, ଅର୍ଥନୈତିକ ଓ ପ୍ରାକୃତିକ ସକଳ ଦିଗରୁ ମାନବ ପକ୍ଷେ ଅବର୍ଣ୍ଣନୀୟ। ବୃକ୍ଷଛେଦନ ଫଳରେ କେବଳ ପ୍ରକୃତିର ସୁନ୍ଦର ପରିବେଶ କ୍ଷୟ ହେଉନାହିଁ, ତତ୍ ସହିତ ମୃତିକା କ୍ଷୟ, ବାୟୁ ମଣ୍ଡଳର ଉତ୍ତାପ ବୃଦ୍ଧି, ପାଣିପାଗର ବ୍ୟତିକ୍ରମ, ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପ୍ତ ଇତ୍ୟାଦି ଦୁର୍ଘଟଣାମାନ ଘଟୁଛି। ଏହି ଦୁର୍ବିପାକରୁ ମାନବ ସମାଜକୁ ସୁରକ୍ଷିତ କରିବାର ଲକ୍ଷ୍ୟ ନେଇ ବନ ମହୋତ୍ସବ ସପ୍ତାହ ପାଳନ ହେଉଛି।
ଆମ ପୂର୍ବଜମାନେ ବୃକ୍ଷର ଉପାଦେୟତାକୁ ଉପଲବ୍ଧ କରି ବୃକ୍ଷରୋପଣ ଏକ ପୁଣ୍ୟପ୍ରଦ ମହତ କାର୍ଯ୍ୟ ବୋଲି ବିବେଚନା କରିଥିଲେ।ଆଜି ସେହି ସ୍ଲୋଗାନର ପୁନରାବୃତ୍ତି ଘଟିଛି। ବୃକ୍ଷକୁ ଏକ ମହାତ୍ମା ନାମରେ ଆଖ୍ୟାୟିତ କରାଯାଇ ବୃକ୍ଷରୋପଣକୁ ଏକ ଜାତୀୟ କାର୍ଯ୍ୟକ୍ରମର ରୂପ ଦିଆଯାଇଛି।ବର୍ତ୍ତମାନ ଅତ୍ୟଧିକ ବୃକ୍ଷରୋପଣ ଓ ବୃକ୍ଷରୋପଣ କରିବା ପାଇଁ ସଚ଼େତନତା କରିବାର ଆବଶ୍ୟକତା ରହିଛି। ଯଦି ଆମେ ଏବେଠୁ ସତର୍କ ନ ରହିବା ଆଗାମୀ ଦିନରେ ଆମ ଉପରେ କଣ ଯେ ପ୍ରଭାବ ପଡ଼ିବ ତାହା କେହି କହିପାରିବେ ନାହିଁ। ଆମେ ବଞ୍ଚିବା ପାଇଁ ଅମ୍ଲଜାନ ନିତାନ୍ତ ଆବଶ୍ୟକ, ଅମ୍ଲଜାନ ବିନା କେହି ବଞ୍ଚିପାରିବେ ନାହିଁ, ତାହା ସମସ୍ତେ ଜାଣନ୍ତି। ଗଛରୁ ଅଧିକ ମାତ୍ରାରେ ଅମ୍ଲଜାନ ମିଳେ। ପ୍ରତି ବର୍ଷ ବର୍ଷାଋତୁର ପ୍ରାରମ୍ଭରେ ସରକାରୀ ରାସ୍ତାର ଧାରେ ଧାରେ, ପତିତ ଜମିରେ ଅସଂଖ୍ୟ ଚ଼ାରା ଗଛ ରୋପଣ କରାଯାଇଥାଏ। ପଞ୍ଚାୟତଠାରୁ ଆରମ୍ଭ କରି ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ, ପୂର୍ତ୍ତ ବିଭାଗ, ରେଳ ବିଭାଗ ଏବଂ ସରକାରୀ ବେସରକାରୀ ସମସ୍ତ ସାଧାରଣ ଅନୁଷ୍ଠାନ ଏହି ଯୋଜନା ପ୍ରତି କିପରି ସଚେତନ ହେବେ, ସେଥିପ୍ରତି ଯତ୍ନ କରାଯାଉଛି।
ସର୍ବାଧକ ପରିମାଣ ବୃକ୍ଷରୋପଣ କରିବା ଉଦ୍ୟମକୁ ଉତ୍ସାହିତ କରିବା ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପୁରସ୍କାର ବ୍ୟବସ୍ଥା କରାଯାଇଛି। ପରିବେଶ ବିଭାଗ ତରଫରୁ ‘ପ୍ରକୃତି ମିତ୍ର’, ‘ପ୍ରକୃତି ବନ୍ଧୁ” ଓ “ବୃକ୍ଷମିତ୍ରା’ ନାମରେ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରାଯାଉଛି। ସରକାରଙ୍କ ତରଫରୁ ମାଗଣା ଚାରା ବଣ୍ଟନ କରାଯାଉଛି। ସାମାଜିକ ବନୀକରଣ ନାମରେ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ସାତ ଦିନ ବୃକ୍ଷରୋପଣ କରି ରହିଗଲେ ହେବ ନାହିଁ, ଚ଼ାରା ଗଛ ରୁ ବଡ଼ ବୃକ୍ଷ ହେବା ପର୍ଯ୍ୟନ୍ତ ଗଛର ଯତ୍ନ ନେବା ଆବଶ୍ୟକ। ତେଣୁ ଏହି ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆସନ୍ତୁ ଶପଥ ନେବା ପ୍ରତ୍ୟେକ ମନୁଷ୍ୟ ଗୋଟିଏ ଗଛ ଲଗାଇବା ଏବଂ ସେହି ଗଛର ସମସ୍ତ ଯତ୍ନ ନେଇ ତାକୁ ଏକ ବଡ଼ ବୃକ୍ଷ ରେ ପରିଣତ କରିବା।





