ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଦାଦନ ଶ୍ରମିକ: ଉଦ୍ଧାର ପାଇଁ ଆକୁଳ ନିବେଦନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିରେ ଅସହ୍ୟ ହେଉଛି ଦାଦନ ଦୁଃଖ। ଜିଲ୍ଲାର କୋକସରା, ଧର୍ମଗଡ, ଲାଞ୍ଜିଗଡ ସମେତ ସମସ୍ତ ବ୍ଲକରେ ଏହା ଉତ୍କଟ ଋପ ଧାରଣ କରିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଅନେକ ନିର୍ଯ୍ୟାତିତ ହେଉଥିବା ନଜରକୁ ଆସିଛି। ଏବେ ପୁଣି ସାମ୍ନାକୁ ଆସିଛି ତେଲେଙ୍ଗାନା ରାଜ୍ୟରେ ବନ୍ଧାପଡି ନିର୍ଯ୍ୟାତିତ ହେଉଥିବା ଦାଦନ ଶ୍ରମିକ ମାନଙ୍କ କଥା। ପ୍ରାପ୍ତ ସୂଚନା ଅନୁସାରେ, କଳାହାଣ୍ଡି, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ପ୍ରାୟ ୧୪ଟି ପରିବାରର ୨୦ ଜଣ ଦାଦନ ଶ୍ରମିକ ଠିକାଦାରଙ୍କ ଦ୍ବାରା ନିର୍ଯ୍ୟାତନାର ଶିକାର ହେଉଥିବା ଜଣାପଡିଛି। ତେବେ ଏହି ୨୦ ଜଣ ଦାଦନ ଶ୍ରମିକଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ୨ଜଣ ରହିଥିବା ଜଣାପଡିଛି। ସେମାନେ ହେଲେ ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ପଞ୍ଚାୟତ ବେହେରାଗୁଡା ଗ୍ରାମର ସୁରେନ୍ଦ୍ର ନାଏକ ଓ କୋକସରା ବ୍ଲକର ଅନାଥ ପରାଭୋଇ। ଏହି ଶ୍ରମିକ ମାନଙ୍କୁ ଗତ ୭ମାସ ତଳେ ବଲାଙ୍ଗିର ଜିଲ୍ଲାର ବେଣୁ ଦାସ ନାମକ ଜଣେ ଦାଦନ ଦଲାଲ ଅଗ୍ରିମ କିଛି ଟଙ୍କା ଦେଇ ତେଲେଙ୍ଗାନା ରାଜ୍ୟ ରଙ୍ଗାରେଡି ଜିଲ୍ଲା କବାଡିପଲ୍ଲି ଗାଁର କେ.ଭେଙ୍କେଟେଶ୍ୱର ନାମକ ଜଣେ ଇଟାଭାଟି ଠିକାଦାରଙ୍କ ପାଖରେ ବନ୍ଧା ପକାଇ ପଲାଇ ଚାଲି ଆସିଥିଲା। ତେବେ ଠିକାଦାର ଜଣକ ଏହି ଶ୍ରମିକ ମାନଙ୍କୁ ଦିନରାତି ଖଟାଇ ନିର୍ଯ୍ୟାତନା ଦେଉଥିବା ଜଣାପଡିଛି। ଏପରିକି ପାରିଶ୍ରମିକ ଟଙ୍କା ମାଗିଲେ ମାର୍ ପିଟ୍ କରିବା ସହ ଘରକୁ ଫେରିବାକୁ ଦେଉନାହିଁ। ଅନ୍ୟପଟେ ନିର୍ଯ୍ୟାତିତ ହେଇ ଶ୍ରମିକମାନେ ନଖାଇ ନପିଇ ବିକଳ ଅବସ୍ଥାରେ ରହିଥିବା ବେଳେ ଉଦ୍ଧାର ପାଇଁ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଦାବି ହେଉଛି। ଦାଦନ ଶ୍ରମିକଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହିଆସୁଛି। ତେଣୁ ଏ ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.