ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଆଭାସୀ ମାଧ୍ଯମରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ଉପଦେଷ୍ଟା ଗୀତାଞ୍ଜଳି ପୃଷ୍ଟିଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ପ୍ରବଚକ, ଆଲୋଚକ ତଥା ଗବେଷକ ପଣ୍ଡିତ ସତ୍ୟନାରାୟଣ ତ୍ରିପାଠୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସଭାପତି ଆଭିମୁଖ୍ୟ ରଖିବା ସହ ଡ଼ ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ଏବଂ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ଭଗବଦ୍ ଗୀତାର ଷଷ୍ଠ ଅଧ୍ୟାୟ, ଧ୍ୟାନ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ସଂକୀର୍ତ୍ତନ ଏବଂ ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ହୋଇଥିଲେ।
ଯେଉଁ ଯୋଗୀଙ୍କ ମନ ପ୍ରଶାନ୍ତ, ଯିଏ ରଜୋଗୁଣ ଓ ତମୋଗୁଣର ପ୍ରଭାବରୁ ସର୍ବଦା ମୁକ୍ତ ହୋଇ କେବଳ ସତ୍ତ୍ଵ ଗୁଣ ସମ୍ପନ୍ନ, ସେହି ଯୋଗୀ ପରମାନନ୍ଦ ଲାଭ କରନ୍ତି। ନିଷ୍ପାପ ଯୋଗୀ ମନକୁ ସର୍ବଦା ସମାହିତ କରି ବ୍ରହ୍ମରେ ମିଶିଯାଇ ନିରତିଶୟ ସୁଖ ଭୋଗ କରନ୍ତି। ସର୍ବତ୍ର ସମଦର୍ଶୀ ଯୋଗୀ ପୁରୁଷ ସର୍ବଭୂତରେ ଆତ୍ମା ଓ ଆତ୍ମାରେ ସର୍ବଭୂତଙ୍କୁ ଦର୍ଶନ କରି ଥାଆନ୍ତି ବୋଲି ଦୀର୍ଘ ସମୟ ଆଲୋଚନା କରିଥିଲେ ପଣ୍ଡିତ ତ୍ରିପାଠୀ ମହାଶୟ।
ଶେଷରେ ପରିବାରର ବଡଭାଇ ବିଶ୍ବେଶ୍ବର ମାଝୀ ମଧ୍ୟ ନିଜ ବକ୍ତବ୍ୟରେ ଧ୍ୟାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିବା ସହ ପଣ୍ଡିତଜୀଙ୍କର ବକ୍ତବ୍ୟ ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ମନ୍ତବ୍ୟ ଦେଇଥିଲେ। ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଓ ଗୀତାଞ୍ଜଳି ପୃଷ୍ଟି ଶାନ୍ତିପାଠ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।