ଅଙ୍ଗନୱାଡି କର୍ମୀଙ୍କ ଧାରଣା ଜାରୀ: ରାଜଧାନୀର ଗଣଧାରଣାରେ ସାମିଲ ହେବାକୁ ଯାଇଛନ୍ତି ନର୍ଲାର ୮୦ କର୍ମୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟର ଅଙ୍ଗନୱାଡି କର୍ମୀ ୮ ଦଫାର ଦାବୀ ନେଇ ଗତ ୨୧ ରୁ ରାଜଧାନୀ ଭୁବନେଶ୍ୱରରେ ଗଣ ଧାରଣା ଦେଉଥିବା ବେଳେ ନର୍ଲା ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ନର୍ଲାର ଶତାଧିକ ଅଙ୍ଗନୱାଡି କର୍ମୀ ଓ ସହାୟୀକା ମାନେ ଧାରଣା ରେ ବସିଛନ୍ତି । ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ଆସୋସିଏସନ ସଂଘର ଡାକରାରେ ୨୦୧୮ ରେ ବହିସ୍କୃତ ହୋଇଥିବା ଅଙ୍ଗନୱାଡି କର୍ମୀଙ୍କ ପୁନଃ ନିଯୁକ୍ତି ଦାବୀ, ଅଙ୍ଗନୱାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇ ନାହିଁ ଅଙ୍ଗନୱାଡି କର୍ମୀଙ୍କୁ ୧୮,୦୦୦ ଟଙ୍କା ଓ ସହାୟୀକା ମାନଙ୍କୁ ୯,୦୦୦ ଟଙ୍କା ପ୍ରଦାନ କରାଯାଉ । ଏବଂ ଇପିଏଫ୍, ଇଏସ୍ଆଇସି ଓ ଗ୍ରାଚ୍ୟୁଇଟି ରେ ସାମିଲ କରାଯାଉ । ମିନି ଅଙ୍ଗନୱାଡି କର୍ମୀକୁ ଉଚ୍ଛେଦ କରାଯାଇ ମୁଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ଦିଆଯାଉ । ଅଙ୍ଗନୱାଡି କର୍ମୀଙ୍କୁ ଅବସର କାଳରେ ୫,୦୦,୦୦୦ ଟଙ୍କା ସହାୟତା ରାଶି ଓ ମାସିକ ପେନସନ ୫,୦୦୦ ଟଙ୍କା ପ୍ରଦାନ କରାଯାଉ । କାର୍ଯ୍ୟରତ ଅବସ୍ଥାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ରାଶି ଓ ପରିବାର ର ଜଣକୁ ଚାକିରୀ ଦିଆଯାଉ । ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ ଲାଗୁ କରାଯାଉ । ୫୦ ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉ । ଏଭଳି ୮ ଗୋଟି ଦଫାର ଦାବୀ ନେଇ ରାଜଧାନୀ ଭୁବନେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କ ଗଣ ଆନ୍ଦୋଳନ ଚାଲିଛି । ଏହା ଦାବୀ ପୁରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।

ସାରା ରାଜ୍ୟର ଅଙ୍ଗନୱାଡି କର୍ମୀ ଭୁବନେଶ୍ୱରରେ ଧାରଣାରେ ସମବେତ ହୋଇଥିବା ବେଳେ ଓଡିଶାର ସମସ୍ତ ବ୍ଲକ ର ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ଭୁବନେଶ୍ୱର ଧାରଣାକୁ ଯାଇ ପାରି ନଥିବା ଅଙ୍ଗନୱାଡି କର୍ମୀ ମାନେ ସେଠାରେ ଧାରଣା ଦେଉଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଞ୍ଚଳରେ ୧୫୪ ଗୋଟି ଅଙ୍ଗନୱାଡି କେନ୍ଦ୍ର ଓ ୧୦ ଗୋଟି ମିନି ଅଙ୍ଗନୱାଡି କେନ୍ଦ୍ର ଚାଲିଛି । ନର୍ଲା ଅଙ୍ଗନୱାଡି ଆସୋସିଏସନ ର ସଭାପତି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ୭୦ ଜଣ ଅଙ୍ଗନୱାଡି କର୍ମୀ ଭୁବନେଶ୍ୱର ଗଣ ଧାରଣାରେ ଯୋଗଦେବା ପାଇଁ ଯାଇଥିବା ବେଳେ, ବାକି ୮୪ ଜଣ ଅଙ୍ଗନୱାଡି କର୍ମୀ ଓ ୧୫୪ ଜଣ ସହାୟୀକା ନର୍ଲା ବ୍ଲକ୍ ଅଙ୍ଗନୱାଡି ଏସୋସିଏସନ ସମ୍ପାଦିକା ଜୟନ୍ତୀ କୁମାରଙ୍କ ନେତୃତ୍ୱରେ ନର୍ଲା ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ନିତ୍ୟ ପୂଜାର୍ଚ୍ଚନା କରି ସକାଳ ୯ ଘଣ୍ଟାରୁ ଦିବା ୨ ଘଣ୍ଟା ଯାଏଁ ପ୍ରତୀକ ଧାରଣା ଦେଉଥିବା ଦେଖିବାକୁ ମିଳିଛି । ଆଜି ମଙ୍ଗଳବାର ଅଙ୍ଗନୱାଡି ମାନଙ୍କ ଧାରଣା ୯ ଦିନରେ ପହଂଚି ସାରିଥିବା ବେଳେ ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକ ଠପ୍ ହୋଇପଡିଛି । ଅଙ୍ଗନୱାଡି କେନ୍ଦ୍ର ଗୁଡିକ ବନ୍ଦ ହୋଇ ପଡିଥିବାରୁ ଶିଶୁ ମାନଙ୍କ ଶିକ୍ଷାଦାନ ଓ ପୌଷ୍ଟିକ ଆହାର କାର୍ଯ୍ୟକ୍ରମ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ନେଇ ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ ଚିନ୍ତା ବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.