ଚକ୍ଷୁ କର୍କଟ ରୋଗରେ ପୀଡିତ ନିଷ୍ପାପ ଯାଆଁଳା ଶିଶୁ, ସହାୟତା ପାଇଁ ନିବେଦନ କଲେ ବାପାମାଆ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ ବରିଡ଼ା ଗ୍ରାମର ନବ କିଶୋର ସାହିର ଦୁଇ ନିଷ୍ପାପ ଶିଶୁ। ବୟସ ମାତ୍ର ୮ମାସ। ପୁଣି ଯାଆଁଳା ଭାଇ। ବଡ଼ ଭାଇ କାର୍ତ୍ତିକ । ୨ମିନିଟର ସାନ ଭାଇ ଗଣେଶ। କିଏ ଜାଣିଥିଲା ଜନ୍ମ ପରେ ଏପରି କଷ୍ଟରେ ଏହି ୨ ଭାଇ ଜର୍ଜରିତ ହେବେ ? ବାପା ଜିତେନ୍ଦ୍ର ବେହେରା ଓ ମାଆ ଝୁମୁରି ବେହେରା ଜାଣି ନ ଥିଲେ ଏତେ ବଡ଼ କଷ୍ଟ ତାଙ୍କ ଭାଗ୍ୟରେ ଅଛି ବୋଲି। ପ୍ରଥମେ ଦୁଇ ଝିଅ। ବଡ଼ ଝିଅ ଇଶ୍ୱରିକୁ ୯ ବର୍ଷ ହୋଇଥିବା ବେଳେ ସାନ ଝିଅ ଆରାଧ୍ୟାକୁ ୫ ବର୍ଷ। ପୁଅ ପାଈଁ ଆଶା କରି ଠାକୁରଙ୍କୁ ପୂଜି ପୁଣି ଜନ୍ମ ନେଇଥିଲେ ଏହି ଯାଆଁଳା ୨ ଭାଇ। କିନ୍ତୁ ବିଧିର ବିଧାନ ବିଚିତ୍ର। ଗତ ୧୫/୫/୨୦୨୩ ରେ କାର୍ତ୍ତିକକୁ କ୍ଷୀର ପିଆଇବା ସମୟରେ ତାର ବାମ ଆଖି ହଠାତ୍ ସମ୍ପୂର୍ଣ୍ଣ ଧଳା ହୋଇଗଲା। ପରେ ସେମାନେ ପୁଅକୁ ଆଖି ପରୀକ୍ଷା କରିବା ପାଇଁ ବ୍ରହ୍ମପୁର ସ୍ଥିତ ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସଳୟକୁ ନେବା ପରେ ସେଠାରେ ଡାକ୍ତର ଭୁବନେଶ୍ୱର ଏଲ ଭି ପ୍ରସାଦ ହସପିଟାଲକୁ ନେବା ପାଇଁ ପରାମର୍ଶ ଦେଲେ। ଗତ ୧୭ ତାରିଖରେ ପିଲାଙ୍କୁ ନେଇ ଭୁବନେଶ୍ବର ଏଲ ଭି ପ୍ରସାଦ କୁ ଯିବାପରେ ସେଠାର ପିଲାର ଆଖିରୁ ମାଂସ ଓ ଅଣ୍ଟା ମେରୁଦଣ୍ଡ ରୁ ମ୍ୟାରୋ ନେବା ପାଇଁ କହି ଅଧିକା ଅର୍ଥ ଲାଗିବ ବୋଲି କହିବା ପରେ ସ୍ବାସ୍ଥ୍ୟ କାର୍ଡ ରେ ପିଲାର ନାମ ନଥିବା ଯୋଗୁଁ କାର୍ଡରେ ଚିକିତ୍ସା ସମ୍ଭବ ନାହିଁ ବୋଲି ମନା କରିଥିଲେ। ଅର୍ଥ ଅଭାବରୁ ସେମାନେ ପୁଣି ଗାଁକୁ ଫେରିଆସି ପୁଣି ଏମ କେ ସି ଜି ଓ ପରେ ଶଙ୍କର ନେତ୍ରାଳୟକୁ ଯାଇ ନିରାଶ ହୋଇ ଫେରିବା ପରେ ଗାଁରେ ସାଙ୍ଗ ସାଥି ଓ ଅନ୍ୟମାନଙ୍କ ଠାରୁ ଅର୍ଥ ସଂଗ୍ରହ କରି ପୁଣି ଭୁବନେଶ୍ବର ପଟିଆ ସ୍ଥିତ ଏଲ ଭି ପ୍ରସାଦ ଚକ୍ଷୁ ହସପିଟାଲକୁ ଯାଇ ସେଠାରୁ ଭୁବନେଶ୍ବର ଏମ୍ସ ହସପିଟାଲକୁ ଯାଇଥିଲେ। ୨୨ତାରିଖରେ ମେଡ଼ିକାଲରେ ଆଡ଼ମିଶନ ହେବା ପରେ ସେଠାରେ ଏମ ଆର୍ ଆଇ ଓ ଅନ୍ୟାନ୍ୟ ପରୀକ୍ଷା ପରେ କାର୍ତ୍ତିକ ର ରିପୋର୍ଟ ରେ ଚକ୍ଷୁ କର୍କଟ (RETINA BLASTOMA) ଜଣା ପଡ଼ିବା ପରେ ବାପା ମାଆ ଙ୍କ ପାଦ ତଳୁ ମାଟି ଖସିଗଲା। କିନ୍ତୁ ମନରେ ସାହସ ବାନ୍ଧି ଚିକିତ୍ସା କରିବା ପାଇଁ ନିଷ୍ପତ୍ତି ନେଲେ। ବର୍ତ୍ତମାନ କାର୍ତ୍ତିକକୁ କର୍କଟ ରୋଗର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ତାହାର କାନ୍ଦ ସମସ୍ତଙ୍କୁ ବ୍ୟଥିତ କରିଛି। ସେପଟେ ଗଣେଶ ଯାଆଁଳା ଭାଇ ହୋଇଥିବା ଯୋଗୁଁ ଏହି ରୋଗ ସଂକ୍ରମଣ କାଳେ ହୋଇଥିବ ବୋଲି ଆଶଙ୍କା କରି ତାହାର ପରୀକ୍ଷା କରିବା ପରେ ଗଣେଶ ମଧ୍ଯ ଆକ୍ରାନ୍ତ ହୋଇଛି ବୋଲି ଜଣା ପଡିଥିଲା। ଏହା ଶୁଣି ବାପା ଓ ମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଗଣେଶର ଦୁଇ ଆଖି ମଧ୍ଯ ବର୍ତ୍ତମାନ କର୍କଟ ରୋଗ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ପହଁଚିଛି ବୋଲି ଡାକ୍ତର କହିବା ପରେ ଗଣେଶ କୁ ମଧ୍ଯ କର୍କଟ ରୋଗର ଚିକିତ୍ସ। କରାଯିବ ବୋଲି ବାପା ଜିତେନ୍ଦ୍ର କହିଛନ୍ତି। ଗରିବ ପରିବାର ହୋଇଥିବାରୁ ଚିକିତ୍ସା ପାଈଁ ସହାୟତାର ହାତ ସମସ୍ତେ ବଢ଼ାଇବା ପାଇଁ ଉଭୟ ବାପା ଓ ମାଆ ନିବେଦନ କରିଛନ୍ତି। ଦୁଇ ଶିଶୁଙ୍କ ଖିଲି ଖିଲି ହସ ମେଡ଼ିକାଲରେ ସମସ୍ତଙ୍କ ମନକୁ ମୋହୁଥିବା ବେଳେ ନିଷ୍ପ।ପ ଶିଶୁଙ୍କ ଦେହରେ ଏହି ରୋଗର ଉପସ୍ଥିତି କଥା ଶୁଣିଲେ ସମସ୍ତଙ୍କ ଆଖିରୁ ଲୁହ ଝରି ଆସୁଛି। ବାପା ଓ ମାଆ ଲୁହକୁ ଓ କୋହକୁ ଚାପି ରଖି ପିଲାଙ୍କ ଜୀବନ ପାଈଁ ଭଗବାନ ଙ୍କୁ ଆକୁଳ ନିବେଦନ କରିବା ସହ ସରକାର ଓ ସ୍ବେଛାସେବୀ ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.