ସ୍କନ୍ଧ ପୁରାଣରେ ରଥଯାତ୍ରାର ବର୍ଣ୍ଣନା

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ ଘୋଷ ଯାତ୍ରା । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ମହାପ୍ରଭୁଙ୍କ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି –

ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱେ
ପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତି ପାବୃତ୍ତୈ ପୁଷ୍ୟପୂଜା
ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟା
ଚୈକଂ ଯାତ୍ରା ବିଧନିଗଦିତା ଦ୍ୱାଦଶୈତା ନରେନ୍ଦ୍ର ।


ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି । ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ । ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି – ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ ।


ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଛି । ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି – ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ । ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ ।


ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ । କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ । ବୃକ୍ଷର ପ୍ରୀତି ପାଇଁ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ୱଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ । ସେଠାରେ ମଙ୍ଗଳଧ୍ୱନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ୱଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ ।


ସ୍କନ୍ଧ ପୁରାଣ ଅନୁସାରେ – ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ୱଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମକ ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା।


ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ । ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୂଣ୍ୟ ହୋଇଥାଏ । ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ । ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ । ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ । ଏହା ଅତି ପବିତ୍ର ସମୟ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହା ସମାଗମ ଏ ତିନି ମହାବେଦୀ ଯୋଗର ତ୍ରିପାଦ ସ୍ୱରୂପ । ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁସ୍ପାଦ ଯୋଗ ହୁଏ । ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.