୫-ଟି ସଚିବ ଭିକେପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ପରେ ସରକାରୀ ସହାୟତା ଘୋଷଣାକୁ ନେଇ ତୀବ୍ର ପ୍ରତିକ୍ରିୟା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ୪ ତାରିଖରେ ୫-ଟି ସଚିବ ଭି କେ ପାଣ୍ଡିଆନ ବହୁ ଆଡମ୍ବରରେ ସୁବର୍ଣ୍ଣପୁର ଗସ୍ତରେ ଆସିଥିଲେ। ତାଙ୍କର ଗସ୍ତବେଳେ ୫ ଗୋଟି ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଥିଲା। ଶତାଧିକ ବସରେ ମାଁ ଭଉଣୀ ମାନଙ୍କୁ ସଭାସ୍ଥଳକୁ ବୁହାହୋଇ ସଭାସ୍ଥଳ ମାନଙ୍କୁ ଲୋକାରଣ୍ୟ ମଧ୍ୟ କରାଯାଇଥିଲା। ସମଗ୍ର ଜିଲ୍ଲାର ବୁଦ୍ଧିଜୀବୀ ତଥା ଜନସାଧାରଣ ତାଙ୍କର ଗସ୍ତରୁ ଅନେକ ସୁଫଳ ଆଶାକରି ଜିଲ୍ଲାରେ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ ହେବ ବୋଲି ଅପେକ୍ଷା କରିଥିଲେ ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା। ଇତି ମଧ୍ୟରେ ତାଙ୍କର ଗସ୍ତକୁ ଏକ ସପ୍ତାହରୁ ଅଧିକ ସମୟ ବିତିଗଲା ପରେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ଏଣୁ ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ବିଜେପିର ପୂର୍ବତନ ସଭାପତି ବଳଦେବ ପ୍ରସାଦ ବେଦବାକ ଆଜି ତାଙ୍କର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏଭଳି ପାତର ଅନ୍ତର ନୀତିକୁ ଖୁବ ସମାଲୋଚନା କରି ସରକାରଙ୍କ ଉପରକୁ ବର୍ଷିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାକୁ ମାତ୍ର ୮.୪୧ ଲକ୍ଷ ଟଙ୍କା ଆସିଥିବା ଜଣାପଡିଛି, ଯାହାକି ସୁବର୍ଣ୍ଣପୁର ଜିଲ୍ଲାର ଉନ୍ନତିରେ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ପାଣ୍ଡିଆନଙ୍କ ଗସ୍ତରେ ୩କୋଟି ଖର୍ଚ୍ଚ କରି ଜିଲ୍ଲା ଉନ୍ନୟନ ପାଇଁ ୮.୪୧ ଲକ୍ଷ ଅନୁଦାନ ଜିଲ୍ଲା ବାସୀଙ୍କ ପ୍ରତି କ୍ରୁର ଉପହାସ ସଦୃଶ ଅଟେ ବୋଲି ବିଭିନ୍ନ ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.