ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଗୃହ ଭିତରେ ନିଜ ବିତର୍କ ପରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ କିସ୍ ଦେଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସ୍ମୃତି ଇରାନୀଙ୍କ ଅଭିଯୋଗ ପରେ ବିଜେପି ମହିଳା ସାଂସଦମାନେ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। ଆଉ ରାହୁଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ବିଜେପି ମହିଳା ସାଂସଦ। ପାଖାପାଖି ୨୨ ମହିଳାଙ୍କ ହସ୍ତଗତ ବିଶିଷ୍ଟ ଏକ ଚିଠି ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି। ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ୩୫ମିନିଟ୍ ଧରି ବକ୍ତବ୍ୟ ରଖିଲେ ରାହୁଲ ଗାନ୍ଧୀ। ନିଜ ବକ୍ତବ୍ୟରେ ୧୫ ମିନିଟ୍ ଧରି ମଣିପୁର ହିଂସା ଉପରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଆକ୍ରମଣାତ୍ମକ ଢ଼ଙ୍ଗରେ ଆସି ରାହୁଲ ଗାନ୍ଧୀ କହିଥିଲେ ଯେ ମଣିପୁରରେ ବିଜେପିର ରାଜନୀତି ଭାରତକୁ ହତ୍ୟା କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଆପଣ ମଣିପୁରରେ ଭାରତ ମାତାଙ୍କୁ ହତ୍ୟା କରିଛନ୍ତି। ଆପଣ ମଣିପୁରର ଲୋକଙ୍କୁ ହତ୍ୟା କରି ଭାରତକୁ ହତ୍ୟା କରିଛନ୍ତି। ତୁମେ ଦେଶଦ୍ରୋହୀ। ସେଥିପାଇଁ ତୁମର ପ୍ରଧାନମନ୍ତ୍ରୀ ମଣିପୁରକୁ ଯାଇପାରିବେ ନାହିଁ। ମଣିପୁରରେ ତୁମର ପ୍ରଧାନମନ୍ତ୍ରୀ ଭାରତକୁ ହତ୍ୟା କରିଛନ୍ତି। ତୁମେ ମଦର ଇଣ୍ଡିଆର ରକ୍ଷକ ନୁହଁ, ତୁମେ ମଦର ଇଣ୍ଡିଆର ହତ୍ୟାକାରୀ। ରାହୁଲ ଗାନ୍ଧୀ କହିଛନ୍ତି ଯେ ରାବଣ ଦୁଇ ଜଣଙ୍କ କଥା ଶୁଣୁଥିଲେ। ମେଘନାଦ ଏବଂ କୁମ୍ଭ କର୍ଣ୍ଣ, ସେହିପରି ମୋଦୀ ଜୀ ମଧ୍ୟ କେବଳ ଦୁଇ ଜଣଙ୍କ କଥା ଶୁଣନ୍ତି, ସେମାନେ ହେଉଛନ୍ତି ଅମିତ ଶାହା ଏବଂ ଆଦାନୀ। ହନୁମାନ ଲଙ୍କାକୁ ଜାଳି ନଥିଲେ, ଇଗୋ ହିଁ ଲଙ୍କାକୁ ଜାଳି ଦେଇଥିଲା। ରାମ ରାବଣକୁ ହତ୍ୟା କରିନଥିଲେ, ତାଙ୍କର ଇଗୋ ତାଙ୍କୁ ହତ୍ୟା କରିଥିଲା। ଆପଣ ସାରା ଦେଶରେ କିରୋସିନି ପକାଉଛନ୍ତି। ହରିୟାଣା ବି ଜାଳି ଦେଉଛ। ଆପଣ ସମଗ୍ର ଦେଶ ଜାଳିବାରେ ବ୍ୟସ୍ତ ଅଛନ୍ତି। ଆଉ ତାଙ୍କ ପ୍ରଶ୍ନର ଜବାବ ରଖିବା ପାଇଁ ଛିଡା ହୋଇଥିଲେ ସାଂସଦ ସ୍ମୃତି ଇରାନୀ। ମାତ୍ର ଏତିକିବେଳେ ସଂସଦରୁ ବାହାରି ଯାଇଥିଲେ ରାହୁଲ। ତେବେ ଲୋକସଭାରେ ରହି, ସ୍ମୃତିଙ୍କ ବକ୍ତବ୍ୟ ଶୁଣିବାକୁ ରାହୁଲଙ୍କୁ କହିଥିଲେ ସାଂସଦ ଶୋଭା କାରାନ୍ଦଲାଜେ। ମାତ୍ର ଏହି ସମୟରେ ରାହୁଲ, ସ୍ମୃତି ଇରାନୀଙ୍କ ଆଡକୁ ଦେଖି ତାଙ୍କୁ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ବିଜେପି ନେତା ଅମିତ ମାଲବିୟ ଏହାକୁ ନେଇଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ମାତ୍ର ଭିଡିଓରେ ରାହୁଲ ଫ୍ଲାଇଙ୍ଗ୍ କରିଛନ୍ତି ନା ନାହିଁ, ତାହା ସ୍ପଷ୍ଟ ଜଣାପଡୁ ନାହିଁ। ସ୍ମୃତି ଇରାନୀ କହିଛନ୍ତି ଯେ, ମୁଁ ଗୋଟିଏ କଥା ଉପରେ ଆପତ୍ତି କରିବାକୁ ଚାହୁଁଛି। ଯେଉଁମାନେ ମୋ ଆଗରେ ବିବୃତ୍ତି ଦେବାର ଅଧିକାର ପାଇଥିଲେ, ସେମାନେ ଯିବା ସମୟରେ ଅଶ୍ଳୀଳ ଚିହ୍ନ ଦେଖାଇଲେ। ଯେତେବେଳେ ମହିଳା ସାଂସଦ ସଂସଦରେ ଉପସ୍ଥିତ ଥିଲେ, ସେତେବେଳେ ଫ୍ଲାଇଙ୍ଗ କିସ୍ କରିବାର ଦେଖାଯାଇଥିଲା। ଏପରି ଅସମ୍ମାନଜନକ ଆଚରଣ ଗୃହରେ କେବେବି ଦେଖାଯାଇ ନାହିଁ। ସ୍ମୃତି ଇରାନୀ ଟାର୍ଗେଟ କରି କହିଛନ୍ତି ଯେ, ଏହା ସେହି ପରିବାରର ଲକ୍ଷଣ, ଯାହା ଦେଶ ଆଜି ଦେଖିଲା। କେନ୍ଦ୍ର ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ଗୃହରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ କେବଳ ଏତିକି ନୁହେଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇପାରିବ। ୨୦୧୯ରେ ରାଫେଲ୍ ଡିଲକୁ ଲୋକସଭାରେ ଚର୍ଚ୍ଚା ବେଳେ ରାହୁଲ ଗାନ୍ଧୀ, ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କିଛି ପ୍ରଶ୍ନ କରିଥିଲେ। ଆଉ ପରେ ନିଜ ସାଥୀ ନେତାଙ୍କୁ ଆଖି ମାରିଥିଲେ। ଏହାର ଫଟୋ ଖୁବ୍ ଭାଇରାଲ ହୋଇଥିଲା। ଏହି ଘଟଣା ପୂର୍ବରୁ ୨୦୧୮ରେ ମଧ୍ୟ ମୋଦୀ ସରକାରଙ୍କ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ରାହୁଲ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିଟ୍ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। କେବଳ ସେତିକି ନୁହେଁ ନିଜ ସିଟକୁ ଫେରି ହସି ହସି ଆଖି ମାରିଥିଲେ। ବିଜେପି ରାହୁଲଙ୍କ ଏଭଳି ବ୍ୟବହାରକୁ ନେଇ ଅନେକ ନିନ୍ଦା କରିଥିଲା। ଏପଟେ ସଂସଦରେ ରାହୁଲ ଗାନ୍ଧୀଙ୍କ ‘ଫ୍ଲାଇଙ୍ଗ କିସ୍’କୁ ନେଇ ଜାରି ରହିଥିବା ବିବାଦ ଭିତରେ ବିହାରର କଂଗ୍ରେସ ବିଧାୟିକା ନୀତୁ ସିଂହଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ, ଆମ ନେତା ରାହୁଲ ଗାନ୍ଧୀଙ୍କୁ ଝିଅର ଅଭାବ ନାହିଁ। ଯଦି ତାଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେବାର ଥାନ୍ତା, ସେ କେଉଁ ଝିଅକୁ ଦେଇଥାନ୍ତେ। ସେ ସ୍ମୃତି ଇରାନୀଙ୍କ ପରି ୫୦ ବର୍ଷ ବୟସ୍କା ମହିଳାଙ୍କୁ କାହିଁକି ଫ୍ଲାଇଙ୍ଗ୍ କିସ୍ ଦେବେ? ତାଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗ ଭିତ୍ତିହୀନ।