ସୀମା ବିବାଦ ନେଇ ହେବ ଆଲୋଚନା

ଓଡ଼ିଆ ବାର୍ତ୍ତା/ ଦିଲ୍ଲୀ : ପଛକୁ ହଟିବ କି ଡ୍ରାଗନ୍ ! ଆସନ୍ତାକାଲି ଭାରତ ଓ ଚୀନ୍ ମଧ୍ୟରେ ହେବ ଆଲୋଚନା  । ସୈନ୍ୟସ୍ତରୀୟ ଆଲୋଚନାରେ ଲଦାଖର ସଂଘର୍ଷ ସ୍ଥଳରୁ ପଛକୁ ହଟିବାକୁ ଚୀନକୁ କହିବ ଭାରତ । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର୍ କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି ।  ଲଦାଖର ଚୁସୁଲ-ମୋଲ୍ଡ ବଡର୍ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଲେଫ୍ଟନାଲ ଜେନେରାଲ ରସିମ ବାଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ । ତାଙ୍କ ସହ ବୈଦେଶିକ ମନ୍ତ୍ରାଳୟ ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ୪ ମାସ ପରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବୈଠକ ବସିବାକୁ ଯାଉଛି  । ଏଥିରେ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋପ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଚୀନ ଉପରେ ଚାପ ପକାଇବ ଭାରତ । ତେବେ ପୂର୍ବ ବୈଠକରୁ ଭାରତର ଏହି ଦାବିକୁ ଚୀନ ଖଣ୍ଡନ କରିଆସୁଛି । ତେବେ ଆସନ୍ତାକାଲିର ବୈଠକ ପରେ  କଣ ନିଷ୍କର୍ସ ବାହାରିବ , ତା ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବାକୁ ପ୍ରୟାସ କରାଯିବ । ସୀମା ସ୍ଥିତି ନେଇ ବି ଆଲୋଚନା ହେବ । ୪ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗିରହିଛି । ୨୦୨୦ ଜୁନରେ ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଅନେକ ଚୀନ ସୈନ୍ୟ ନିହତ ହୋଇଥିଲେ । ଏହା ପରଠୁ ଉଭୟ ଦେଶ ଭିତରେ ସମ୍ପର୍କ ବିଗିଡିଥିଲା । ସୀମାରେ ଉତ୍ତେଜନା ହ୍ରାସ ନ ହେବା ଯାଏଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବନି ବୋଲି ବୈଦେଶିକ ମନ୍ତ୍ରୀ  କହିଆସୁଛନ୍ତି । ଲଦାଖରେ ଏବେ ବି ଉଭୟ ଦେଶ ୫୦ ହଜାରରୁ ଅଧିକ ସୈନ୍ୟ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.