ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ବର୍ଷର ଖରିଫ ଚାଷ ଶେଷ ପର୍ଯ୍ୟାୟରେ ପହଁଚିଛି। ଏପରି ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଦେବଗିରି ବୁଢୀପଦରରେ ଦେଖିବାକୁ ମିଳିଛି ସୋମବଂଶୀ ଧାରାର ଏକ ଅନନ୍ୟ ପରମ୍ପରା ‘ଜୁରା ବନ୍ଦା’। ଦେବଗିରିର ସଂଭ୍ରାନ୍ତ ଯାଦବମାନେ ଏହି କୃଷି ପରମ୍ପରାକୁ ପୁରୁଷାନୁକ୍ରମେ ପାଳନ କରି ଆସୁଛନ୍ତି। କୃଷି କ୍ଷେତ୍ରରେ ତଳିରୋପଣର ଶେଷ ଦିନରେ ପାଳିତ ହୋଇଥାଏ ଜୁରା ବନ୍ଦା ବିଧି। ଏହା ପରିବାରର ଜ୍ୟୋଷ୍ଠ ବୋହୁଙ୍କ ଦ୍ବାରା ସଂପାଦିତ ହୋଇଥାଏ। ଜମିରେ ଶ୍ରମିକମାନେ ତଳି ରୋପଣ କରି ସାରିବାର ଶେଷ ସମୟରେ ସୋମବଂଶୀ (ଯାଦବ) ବୋହୁ ପରିବାର ସହ ଜମିରେ ପହଞ୍ଚି ପୂର୍ବ ଦିଗକୁ ମୁହଁ କରି ଦୁଇଟି ତଳି ବିଡାକୁ ପାଖାପାଖି ରଖି ଖିର, ଅରୁଆ ଚାଉଳ, ହଳଦୀ ଓ ଫୁଲ ଦେଇ ବନ୍ଦାପନା କରିଥାନ୍ତି। ବନ୍ଦାପନା କରାଯାଉଥିବା ତଳି ବିଡା ମଗଧା ଯାଦବଙ୍କ ଇଷ୍ଟଦେବତା କଣାଭୈରା ଓ ମାଲଛମାଁଙ୍କ ପ୍ରତୀକ ରୂପେ ପୂଜା ପାଇଥାନ୍ତି। ଏହି ଦୁଇଟି ତଳି ବିଡାକୁ ବନ୍ଦାଇବା ପରେ ରୋପଣ କରିବା ପରେ ବଡ଼ ବହୁ ନିଜ ସ୍ବାମୀଙ୍କୁ ହଳଦୀ ଲଗାଇ ଥାନ୍ତି, ଏହାପରେ ସେଠାରେ ଉପସ୍ଥିତ ଥିବା ମହିଳାମାନେ ହଳଦୀ ଖେଳିଥାନ୍ତି। ହଳଦୀ ଖେଳ ପରେ କ୍ଷେତ୍ର ପରିକ୍ରମା କରା ଯାଇଥାଏ। ଜୁରା ବନ୍ଦା ନିତି ସଂପନ୍ନ ହେବା ପରେ ଦେବୀ ମାଲଛମାଙ୍କୁ କୃଷି କ୍ଷେତ୍ରର ଦାଇତ୍ୱ ଅର୍ପଣ କରି ଘରକୁ ଫେରିଥାଏ ଜ୍ୟୋଷ୍ଠ ବୋହୁ। ଜୁରା ବନ୍ଦା ପରେ ଘରେ ଅସ୍ତ୍ରଶସ୍ତ୍ର ପୂଜା ହୋଇଥାଏ। ଏହିଦିନ ଜମି ମାଲିକ ହଳିଆ ତୁଳିଆ ଓ ଶ୍ରମିକମାନଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିଥାନ୍ତି। ପୁରାଣ ପ୍ରସିଦ୍ଧ ଯଦୁ ବଂଶର ଏକ ଶାଖା ହେଉଛି ସୋମ ବଂଶ। ଏହି ବଂଶର ଗୌରବମୟ ଇତିହାସ ରହିଛି। ସମୟର ପଟ୍ଟ ପରିବର୍ତ୍ତନ ସହ ସୋମବଂଶୀ ଯୋଦ୍ଧାମାନେ କୃଷିଜୀବୀ ସମୁଦାୟରେ ରୂପାନ୍ତରିତ ହୋଇଛନ୍ତି। ଜୁରା ବନ୍ଦା ବିଧି ଅତିତର ସେହି ସ୍ମୃତିକୁ ମନେ ପକାଇ ଦେଇଥାଏ।