ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ବିଡିଓଙ୍କୁ ୬ଦଫା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ପିଇଡିଏସ୍ ବିତରଣ କାର୍ଯ୍ୟରେ ହିତାଧିକାରୀ ମାନଙ୍କୁ ଠିକ ସମୟରେ ପହଞ୍ଚାଇବା ଓ ସ୍ୱଚ୍ଛତା ଆଣିବା ସକାଶେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ଗତ ତା-୨୧.୦୪.୨୦୧୨, ମସିହାରେ ପତ୍ର ସଂଖ୍ୟା ୭୦୪୦/ଅନୁସାରେ ସମସ୍ତ ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଠାରେ ଯୋଗାଣ ସହାୟକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୩ ମସିହାରେ ୪୨୨୫ ଜଣ ଯୋଗାଣ ସହାୟକ ନିଯୁକ୍ତି ପାଇ ଲଗାତାର ଭାବେ କାର୍ଯ୍ୟକରି ଆସୁଥିଲେ ସୁଦ୍ଧା ସେମାନଙ୍କୁ କମ ଦରମା ଦିଆଯାଉଛି। ଏହାକୁ ନେଇ ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର କିଛି ପଦକ୍ଷେପ ନେଉନଥିବା ଯୋଗୁଁ ଆଜି ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ପ୍ରତ୍ୟେକ ବ୍ଲକ ଠାରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ବ୍ଲକ ସଭାପତି ରାଜେନ୍ଦ୍ର କୁମାର ମହାକୁଡ଼ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବିଡିଓ ଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୂତି ଭୂଷଣ ଶତପଥୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଯୋଗାଣ ସହାୟକର ଚାକିରୀ ସ୍ଥାୟିତ୍ଵ ଓ ମାସିକ ଦରମା ୨୫୦୦୦କୁ ବୃଦ୍ଧି କରିବା, ଯୋଗାଣ ସହାୟକ ନାମରେ ପିଡିଏସ ଲାଇସେନ୍ସ ପ୍ରଦାନ କରିବା, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରିବା ସହିତ ପରିବାର ବର୍ଗର ଜଣେ ସଦସ୍ୟ ଚାକିରି ଯୋଗାଇବା, ଯୋଗାଣ ସହାୟକଙ୍କୁ ପଞ୍ଚାୟତ ରାଜ ବିଭାଗ ରୁ ନିବୃତ କରି ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ପଦବିକୁ ଏଏସଆଇ(ଆସିଷ୍ଟାଣ୍ଟ ସପ୍ଳାୟେ ଇନ୍ସପେକ୍ଟର) ନାମିତ କରାଯିବା, ଇ-ପୋସ ଡିଭାଇସ୍ ପରିଚାଳନାର ପ୍ରୋତ୍ସାହନ ରାଶି ଯୋଗାଣଙ୍କୁ ପ୍ରଦାନ କରିବା, ମାସିକ ପିଡିଏସ ଆବଣ୍ଟନରେ ୨% ପ୍ରତିଶତ ନିଅଣ୍ଟକୁ ଭରଣ କରିବା ପ୍ରମୁଖ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ ସଂଘ ଉପଦେଷ୍ଟା ତାପସ ରଞ୍ଜନ ଦଲେଇ, ସମ୍ପାଦକ ନାରାୟଣ ପ୍ରସାଦ ନାଏକ, ସାଲେରି ରଞ୍ଜନ ମିଶ୍ର, କୁଳମଣି ବେହେରା, ମିଥୁନ ମହାକୁଡ, ପ୍ରତାପ ବିଭାର, ଦୁର୍ଗା ପ୍ରସାଦ ମାଝୀ, ଦେବରାଜ ହରିଜନ, ଗୁପ୍ତେଶ୍ୱର ପଧାନ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.