ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ପିଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ମହିଳା ପିଏସଆଇ କାଜଲ ବାଗ (୨୫)ଙ୍କ ଘର ଭୂବାନୀପାଟଣା ବୋଲି ଜଣାପଡିଛି। ସୂଚନାନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ କାଜଲ ପୋଲିସ ପେଟ୍ରୋଲିଙ୍ଗ କାର୍ଯ୍ୟ ସାରି ରାତି ସାଢେ ୧୨ ଟା ଫେରି ନିଜ ସଇଁତଳା ସ୍ଥିତ ଏକ ଭଡ଼ା ଘରକୁ ଯାଇଥିଲେ। ଏହାର କିଛି ସମୟରେ ପରେ ମଶାମରା ବିଷ (ଲିକ୍ଯୁଇଟ) ପିଇଥିବା ନେଇ ସ୍ଥାନୀୟ ପୋଲିସ କର୍ମଚାରୀ ଖବର ପାଇଁ ଘରୁ ଉଦ୍ଧାର କରି ସଇଁତଲା ଡାକ୍ତରଖାନା ନେଇଥିଲେ। ସେଠାରେ ଓପିଡ଼ି ନଂ ୪୪୩୦ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ସାରି ରାତ୍ରି ସାଢେ ୧ରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପୂର୍ବରୁ ସେ ବଲାଙ୍ଗିର ଟାଉନ ଥାନାରେ କାମ କରୁଥିବା ବେଳେ କିଛିଦିନ ହେବ ସଇଁତଳା ଥାନାକୁ ପିଏସଆଇ ଟ୍ରେନିଙ୍ଗ ପାଇଁ ଆସିଥିଲେ। ଏଭଳି ନିଷ୍ପତ୍ତି ସେ କଣ ପାଇଁ ନେଲେ ତାହାକୁ ନେଇ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣିବାକୁ ସାଧାରଣରେ ଦାବି ହୋଇଛି।