ଅଧିକ ଥର ଜିତିଥିଲେ ମିଳିବନି ବିଜେପି ଟିକେଟ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ଏବେ ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଦଳ ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଦେଶର ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଏ ଯାଏ ଘୋଷଣା ହୋଇ ନ ଥିଲେ ମଧ୍ୟ ବିଜେପିର ଏହି ଆଗୁଆ ପ୍ରାର୍ଥୀ ଘୋଷଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଉଭୟ ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଥିବା କୁହାଯାଇଛି। ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ପରେ ହିଁ ତାଲିକା ପ୍ରକାଶ ପାଇବ। ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଉଭୟ ରାଜ୍ୟରେ ଅତି କମରେ ୨୦ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଯେଉଁ ସିଟରେ ବିଜେପି ଲଗାତର ତିନିଥର ହାରିଛି ସେସବୁ ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା ହେବ ବୋଲି କୁହାଯାଉଛି। ଏଥିସହିତ ଯେଉଁ ସିଟରେ କଂଗ୍ରେସର ଦମଦାର ବିଧାୟକ ଓ ମନ୍ତ୍ରୀ ଅଛନ୍ତି ସେସବୁ ସିଟରେ ଦଳ ସେମାନଙ୍କୁ ଘେରିବାକୁ ଆଗୁଆ ରଣନୀତି ପ୍ରସ୍ତୁତ କରୁଛି। ଦୁର୍ବଳ ସିଟ ବ୍ୟତୀତ ଏଭଳି ସିଟ ଗୁଡିକରେ ଦଳ ଆଗୁଆ ପ୍ରାର୍ଥୀ ଘୋଷଣା ନେଇ ବିଚାର କରୁଛି ବୋଲି କୁହାଯାଉଛି। ଏଥିସହିତ ୬୦ ରୁ ଅଧିକ ସିଟ ଯେଉଁଠି ଦଳ ଦୁଇରୁ ଚାରିଥର ଲଗାଥର ଜିତିଛି ସେସବୁ ସ୍ଥାନରେ ବିଧାୟକ ମାନଙ୍କ ଟିକେଟ କାଟିବାକୁ ଦଳ ଯୋଜନା କରିଛି। ସେପଟେ କଂଗ୍ରେସ ପକ୍ଷରୁ ଦଳୀୟ ଟିକେଟ ପାଇଁ ଆବେଦନ ସଂଗ୍ରହ କରାଯାଉଛି। ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି ଏ ସବୁ ଆବେଦନ ଗ୍ରହଣ କରୁଥିବା ବେଳେ ଏହାକୁ ଯାଞ୍ଚ କରାଯାଇ ପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଟି ପ୍ରଭାରୀଙ୍କୁ ପ୍ରଦାନ କରାଯିବ। ତା ପରେ ଦଳ ପକ୍ଷରୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ସେପଟେ ତେଲେଙ୍ଗାନାରେ ଶାସକ ବିଆରଏସ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ନିର୍ବାଚନ ଘୋଷଣା ପୂର୍ବରୁ ବିଜେପିର ଆଗୁଆ ପ୍ରାର୍ଥୀ ଘୋଷଣା ରଣନୀତି ଦଳକୁ କେତେ ଫାଇଦା ଦେବ ତାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.