ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ନୀଲ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ ସ୍ଥାନୀୟ ନାରାୟଣପୁର ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସହକାରୀ ପରିଚାଳିକା ଅଣସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର, ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ନେଇ ଏକ ସଚେତନତା ରାଲି ବିଦ୍ୟାଳୟରୁ ବାହାରି ନାରାୟଣପୁର ଛକ ଦେଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଯାଏଁ ଯାଇ ପୁଣି ବିଦ୍ୟାଳୟକୁ ଫେରିଥିଲା। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ରାମଶଙ୍କର ତ୍ରିପାଠୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବନେଶ୍ଵର ପାଣିଗ୍ରାହୀ ମିଳିତ ଭାବେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ରାଲିର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଶିକ୍ଷକ ମାନସ ରଂଜନ ଭୋଇ, ଓମ ପ୍ରକାଶ ପୂଝାରୀ ଏବଂ କଲ୍ୟାଣ ସାମଲ ଦାୟିତ୍ଵ ନିର୍ବାହ କରିଥିଲେ। ପ୍ରତିଯୋଗିତାରେ ମିଲନ ମହାକୁର, ଅର୍ଚ୍ଚିତା ସାହୁ ଓ ମୀନତି ଭୋଇ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ସଚେତନତା ସଭାରେ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ଦୀପକ ସାହୁ, ରତନ ବିଶି, ଶିକ୍ଷକ ହରେଶ ମେହେର ଏବଂ ଅନ୍ୟ ଶିକ୍ଷକ-ଶିକ୍ଷୟତ୍ରୀମାନେ ଆୟୋଜନରେ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ୪ ସେପ୍ଟେମ୍ବର ଠାରୁ ୯ ସେପ୍ଟେମ୍ଵର ଯାଏଁ ଏହି ଦିବସଟି ଏକ ଅଭିଯାନ ଭାବେ ସମଗ୍ର ବିଶ୍ଵରେ ପାଳିତ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.