ପ୍ରାରମ୍ଭିକ ଗ୍ରେଡ୍ ପେ’କୁ ୪୬୦୦ଟଙ୍କାରୁ ୫୪୦୦ଟଙ୍କା ବୃଦ୍ଧି ଦାବି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ଏସଏସବି ଅଧ୍ୟାପିକା-ଅଧ୍ୟାପକ ସଂଘର ଆହ୍ୱାନ କ୍ରମେ ଆଜି ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଅବସ୍ଥାପିତ ଏସଏସବି ଅଧ୍ୟାପିକା-ଅଧ୍ୟାପକମାନେ ନିଜ ପ୍ରାରମ୍ଭିକ ଗ୍ରେଡ ପେ କୁ ୪୬୦୦ଟଙ୍କାକୁ ବୃଦ୍ଧି ଦାବି ନେଇ ଅଭିନବ ଉପାୟରେ ମହାତ୍ମା ଗାନ୍ଧୀଙ୍କ ଫୋଟଚିତ୍ର ସମ୍ମୁଖରେ କଳାବ୍ୟାଚ୍ ପରିଧାନ ପୂର୍ବକ ନୀରବ ପ୍ରାର୍ଥନା କରି ବିରୋଧାଭାସ ପ୍ରଦର୍ଶନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗୁରୁଦିବସ ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ସହ ସରକାରଙ୍କୁ ଦାବି ପୂରଣ ପାଇଁ ଅନୁରୋଧ କରାଯାଉଛି । ସଂଘର ଦାବି ନ୍ୟାୟ ସଂଙ୍ଗତ ହୋଇଥିଲେ ମଧ୍ୟ ସରକାର ଦାବି ପୂରଣ ଦିଗରେ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଅପରପକ୍ଷେ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା କର୍ତବ୍ୟ ଓ ନୈତିକତା ଦୃଷ୍ଟିରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଯିବେ ନାହିଁ ବୋଲି ସଂଘ କର୍ତୁପକ୍ଷ ପ୍ରକାଶ କରିଛନ୍ତି । ତେଣୁ ମହାତ୍ମାଗାନ୍ଧୀଙ୍କ ନିକଟରେ କଳାବ୍ୟାଚ ପିନ୍ଧି ପ୍ରତୀକାତ୍ମକ ତଥା ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଛନ୍ତି ଏବଂ ଦାବି ପୂରଣ ଦିଗରେ ଧ୍ୟାନଦେବା ପାଇଁ ପୁଣି ଅନୁରୋଧ କରିଛନ୍ତି । ପ୍ରକାଶ ଥାଉ କି,ଓଡିଶା ସରକାରଙ୍କ ଦ୍ୱାରା ୨୦୧୬ରୁ ୨୦୨୨ ମଧ୍ୟରେ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରାୟ ୩ହଜାର ଅଧ୍ୟାପିକା ଅଧ୍ୟାପିକଙ୍କୁ ଏକ ସ୍ୱଚ୍ଛ ଓ ଯୋଗ୍ୟତା ଭିତିକ ସରକାରୀ ପଦ୍ଧତିରେ ଷ୍ଟେଟ୍ ସିଲେକ୍ସସନ୍ ବୋର୍ଡ ଦ୍ୱାରା ନିଯୁକ୍ତ ହୋଇଥିଲେ ।ଏହି ଅଧ୍ୟାପିକା ଅଧ୍ୟାପକମାନେ ସ୍ୱତନ୍ତ୍ର ଭାବରେ କେବଳ ସ୍ନାତକ ଶ୍ରେଣୀ ପାଇଁ ନିଯୁକ୍ତ ହୋଇଥିବା ବେଳେ ସରକାରଙ୍କ ତରଫରୁ ସେମାନଙ୍କୁ ସେହି ଅନୁସାରେ ସୁବିଧାସୁଯୋଗ ପ୍ରଦାନ କରାଯାଇନାହିଁ । ଏ ନେଇ ରାଜ୍ୟ ସଂଘ ସଭାପତି ସରୋଜକାନ୍ତ ନାୟକ ଏଏସବି ଅଧ୍ୟାପିକା ଅଧ୍ୟାପିକମାନେ ସରକାରୀ ଅଧ୍ୟାପକଙ୍କ ଭଳି ସମାନ କାର୍ଯ୍ୟ କରୁଥିଲେ ମଧ୍ୟ ଆମକୁ ସମ୍ମାନ ଓ ସୁବିଧା ସୁଯୋଗ ପ୍ରଦାନ କରାଯାଇନାହିଁ ଏବଂ ତଳସ୍ତରରେ ୪୬୦୦ଟଙ୍କା ଗ୍ରେଡ୍ ପେ’ରେ ଦରମା ଦିଆଯାଉଛି ଯାହା କି ଏକ ଅପମାନର ବିଷୟ ବୋଲି କହିଛନ୍ତି । ଦୀର୍ଘ ୮ବର୍ଷ ଧରି ଗ୍ରେଡ୍ ପେ ବୃଦ୍ଧି କରିବା ପାଇଁ ସଂଘ ଦାବି କରି ଆସୁଥିଲେ ମଧ୍ୟ ସରକାର ଶୁଣୁନାହାନ୍ତି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଉନ୍ନତି ଆଣିବାକୁ ପ୍ରଚେଷ୍ଠା ଜାରି ରଖିଥିବା ବେଳେ ଶିକ୍ଷାର ଉନ୍ନତି ପାଇଁ ନିଯୁକ୍ତ ଶିକ୍ଷାଦାତାମାନଙ୍କୁ ଅଣଦେଖା କରିବା ପରିତାପର ବିଷୟ ହୋଇଥିବାରୁ ଏସଏସବି ଅଧ୍ୟାପିକା ଅଧ୍ୟାପକମାନଙ୍କ ୫୪୦୦ଟଙ୍କା ଗ୍ରେଡ୍ ପେ ପାଇଁ ଥିବା ଦାବିକୁ ସରକାର ଯଥାଶୀଘ୍ର ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସଂଘ ସଭାପତି ଶ୍ରୀ ନାୟକ ଅନୁରୋଧ କରିଥିବା ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଥିବା ୩୪ଜଣ ଏସଏସବି ଅଧ୍ୟାପିକା ଅଧ୍ୟାପକମାନେ ପ୍ରକାଶ କରିଛନ୍ତି ।