ସୋସିଆଲ ମିଡିଆ ପାଇଁ ବୟସ

ବିଭିନ୍ନ ସୋସିଆଲ ସାଇଟ୍‌ରେ ଲାଇକ୍‌, କମେଣ୍ଟ ଓ ଲମ୍ବି ଚାଲିଥିବା ବନ୍ଧୁ ତାଲିକା ହିଁ ସମାଜର ପରିଭାଷା ପାଲଟିଛି । ସହରାଞ୍ଚଳରେ ସାଇପଡ଼ିଶାଙ୍କ ସହ କଥା ହେବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ । ଏପରିକି ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ସହ କଥା ହେବାକୁ ଯେମିତି ସମୟ ନାହିଁ । ବିଶେଷକରି ପାଠପଢୁଆ ପିଲାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ । ବିଭିନ୍ନ ସୋସିଆଲ ମିଡ଼ିଆ ଏକ ଅଦୃଶ୍ୟ ଦୁନିଆ । ଆଜିକାଲି ଅଧିକାଂଶ ପିଲା ନିଜର ମୋବାଇଲ୍‌ରେ ସବୁବେଳେ ଅନ୍‌ଲାଇନ୍‌ରେ ରହି ସାଙ୍ଗ ସହ ଅଯଥା ଚାଟିଂରେ ସମୟ ନଷ୍ଟ କରୁଛନ୍ତି । ଦିନର ପ୍ରାୟ ଅଧାଅଧି ସମୟ କଟିଯାଉଛି ସୋସିଆଲ ମିଡ଼ିଆରେ ।ଅଧିକାଂଶ ସୋସିଆଲ ନେଟୱର୍କିଂ ସାଇଟ୍‌ ଏକ ଅବାସ୍ତବ ଦୁନିଆରେ ବଞ୍ଚିବା ଶିଖାଇ ଥାଏ । ସବୁବେଳେ ନିଜକୁ ଏକ ଅଦୃଶ୍ୟ ବା ଅବାସ୍ତବ ଦୁନିଆରେ ଆବଦ୍ଧକରି ରଖିବା ଫଳରେ ନାନା ମାନସିକ ଓ ଶାରୀରିକ ସମସ୍ୟା ଦେଖାଦିଏ । ବୃତ୍ତିଗତ ଶିକ୍ଷାରେ ପାଠପଢୁଥିବା ପିଲାମାନେ ସୋସିଆଲ ମିଡ଼ିଆର ଭରପୂର ଫାଇଦା ନେବା କଥା । ହେଲେ ଅଧିକାଂଶ ପିଲା ଏହି ସାଇଟ୍‌ରେ ପାଠ ଓ କ୍ୟାରିୟର କଥା ଆଦାନ ପ୍ରଦାନ କରିବା ବଦଳରେ ଅନ୍ୟ ଖରାପ କଥାରେ ବ୍ୟସ୍ତ ରହୁଛନ୍ତି । ଏଥିପ୍ରତି ସଜାଗ ନ ହେଲେ ଏହା ପିଲାଙ୍କ ସୁନେଲି ଭବିଷ୍ୟତ ପ୍ରତି କ୍ଷତି ପହଞ୍ଚାଇବାର ଭୟ ରହିଛି ।
ଏହା ଭିତରେ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ କର୍ଣ୍ଣାଟକ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଆଜିର ସ୍କୁଲ ପିଲାମାନେ ଏହାଦ୍ୱାରା ପଥଭ୍ରଷ୍ଟ ହେଉଛନ୍ତି । ସାମାଜିକ ଗଣମାଧ୍ୟମ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ଧାର୍ଯ୍ୟ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଏଥିସହ ଇଣ୍ଟରନେଟରେ ଯେଉଁ ବିଭ୍ରାନ୍ତିକର ଭିଡିଓ ଓ ବିଷୟବସ୍ତୁ ହଟାଇବାକୁ ମଧ୍ୟ କୋର୍ଟ କହିଛନ୍ତି । ଟ୍ୱିଟରରେ ଏକ ମାମଲାରେ ଉପରେ ଶୁଣାଣୀ କରି ବିଚାରପତି ଜି ନରେନ୍ଦ୍ର ଓ ବିଚାରପତି ବିଜୟକୁମାରଙ୍କ ଖଣ୍ଡପୀଠ କହିଛନ୍ତି ସୋସିଆଲ୍ ମିଡିଆ ବ୍ୟବହାର ଉପରେ ସରକାର ଏକ ବୟସସୀମା ଧାର୍ଯ୍ୟ କରନ୍ତୁ । ଶୁଣାଣୀ ସମୟରେ କୋର୍ଟ କହିଛନ୍ତି ୧୮ବର୍ଷରୁ କମ ବୟସ୍କ ପିଲାମାନେ ସବଠୁ ଅଧିକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଏହା ଭିତରେ ସବୁଠୁ ଅଧିକ ସଂଖ୍ୟା ସ୍କୁଲ ପିଲା ରହିଛି । ତେଣୁ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ଧାର୍ଯ୍ୟ କରାଯାଉ । ବୟସକୁ ୨୧ବର୍ଷ ରଖାଯାଉ ବୋଲି କୋର୍ଟ କହିଛନ୍ତି । କୋର୍ଟ ପରାମର୍ଶ ଦେଇଛନ୍ତି ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ପଞ୍ଜିକରଣ ବ୍ୟବସ୍ଥା ରଖାଯାଉ । ଜରୁରୀ ସୂଚନା ଦେବା ବାଧ୍ୟତାମୂଳକ କରାଯାଉ । ପୂର୍ବରୁ ଅନଲାଇନ ଗେମ ପାଇଁ ଏଭଳି ସୂଚନା ବ୍ୟବସ୍ଥା କରାଯାଇଛି । ୨୦୨୧ ଟ୍ୱିଟର ପାଇଁ ଏଭଳି ନିର୍ଦ୍ଦେଶ ଜାରି କରିଥିଲେ ଭାରତର ପ୍ରଯୁକ୍ତି ମନ୍ତ୍ରାଳୟ । ଜୁନ୍ ୩୦ରେ ଏକ ସିଙ୍ଗଲ୍ ବେଞ୍ଚର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇ ଟ୍ୱିଟର ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି ସମୟରେ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ପିଲାମାନେ ୧୭ କିମ୍ବା ୧୮ ବର୍ଷର ହୋଇଗଲେ ସେମାନେ କ’ଣ ଦେଶର ହିତ ପାଇଁ କେଉଁଟା ଠିକ୍ ବା କେଉଁଟା ଭୁଲ୍ ତାହା ବିଚାର କରିପାରିରେ କି ଏଭଳି କିଛି ଯୁକ୍ତି ବାଢ଼ିଛନ୍ତି ଖଣ୍ଡପୀଠ । ସୋସିଆଲ୍ ମିଡିଆ ଉପରେ କଟକଣା ଲଗାଗଲେ ନିଶ୍ଚିତ ତାହାର ନିଶ୍ଚିତ ସୁଫଳ ମିଳିବ ବୋଲି ଜଷ୍ଟିସ୍ ନରେନ୍ଦ୍ର ମତ ରଖିଛନ୍ତି । ପ୍ରଯୁକ୍ତି ମନ୍ତ୍ରାଳୟ ୨୦୨୧ ଫେବୃୟାରୀ ୨ ତାରିଖରୁ ୨୦୨୨ ଫେବୃୟାରୀ ୨୮ ତାରିଖ ମଧ୍ୟରେ ଧାରା ୬୯ଏ ବଳରେ ୧୦ଟି ସରକାରୀ ଆଦେଶ ଜାରି କରିଥିଲେ । ଏଥିରେ ୧୪୭୪ ଆକାଉଂଟ୍ସ, ୧୭୫ଟି ଟ୍ୱିଟ୍, ୨୫୬ ୟୁଆର୍ଏଲ୍ ଓ ଗୋଟିଏ ହ୍ୟାଶ୍ଟାଗ୍କୁ ବ୍ଲକ କରିବା ପାଇଁ ଆଦେଶ ରହିଥିଲା । ୩୯ ୟୁଆର୍ଏଲ୍ ବ୍ଲକ କରିବା ଆଦେଶ ବିରୋଧରେ ଟ୍ୱିଟର କୋର୍ଟର ଦ୍ୱାରସ୍ଥ ହୋଇଥିଲା । କିନ୍ତୁ ସିଙ୍ଗଲ ବେଞ୍ଚ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଟ୍ୱିଟର ପୁଣିଥରେ ଏହି ମାମଲାର ବିଚାର ପାଇଁ କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.