ଭଷାଣି ବେଳେ ଟ୍ରାକ୍ଟର ମାଡିଯାଇ ଜଣେ ମୃତ ପ୍ରସଙ୍ଗ: ବ୍ୟବଚ୍ଛେଦ ପାଇଁ ଶବ ଗଲା ହେଲେ ଜବତ ହୋଇନି ଟ୍ରାକ୍ଟର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଧିନସ୍ଥ ବୁଦେଳଗୁମା ଗ୍ରାମରେ ଗଣେଶ ଭଷାଣି ବେଳେ ଘଟି ଯାଇଛି ଏକ ଅଘଟଣ । ଅଗ୍ରପୂଜ୍ୟ ବିଘ୍ନ ବିନାଶନ ଗଣେଶଙ୍କ ପୂଜା ସାରି ବିସର୍ଜନ ପାଇଁ ଟ୍ରାକ୍ଟର ଯୋଗେ ନେଉଥିବା ବେଳେ ଟ୍ରାକ୍ଟର ଚକତଳେ ଚାପିହୋଇ ଜଣେ ଶ୍ରଦ୍ଧାଳୁ ଯୁବ ଭକ୍ତଙ୍କ ଅକାଳରେ ପ୍ରାଣହାନୀ ଘଟିଥିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।  ସୂଚନା ମତେ ନର୍ଲା ବ୍ଲକ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମରେ ଅନୁଷ୍ଠିତ ଗଣେଶ ପୂଜା ପରେ ଶନିବାର ଭଷାଣୀ କାର୍ଯ୍ୟକ୍ରମ ରହିଥିଲା। କୁରମେଲ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତହସିଲ ସାହୁଙ୍କ ଟ୍ରାକ୍ଟରରେ ଗଣେଶ ପ୍ରତିମା ବିସର୍ଜନ ପାଇଁ ଶୋଭାଯାତ୍ରାରେ ନେଉଥ‌ିବା ବେଳେ କୁରମେଲ ଗ୍ରାମର ପ୍ରକାଶ ବାଗଙ୍କ ପୁଅ ସଞ୍ଜୁ ବାଗ (୨୭) ଟ୍ରାକ୍ଟର ଚକତଳେ ପଡିଯାଇଥିଲେ। ଅକସ୍ମାତ ଘଟଣା ପରେ ସାଥୀ ଶୋଭାଯାତ୍ରୀ ତାଂକୁ ଉଦ୍ଧାର କରିବା ପୂର୍ବରୁ ତାଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ସଞ୍ଜୁକୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଥିଲେ ହେଁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ରାଜା ଜୈନ ପ୍ରକାଶ କରିଛନ୍ତି। ମୃତକ ସଞ୍ଜୁଙ୍କ ପରିବାର ଲୋକେ ଟ୍ରାକ୍ଟର ମାଲିକ ଶ୍ରୀ ସାହୁଙ୍କୁ ଘେରାଉ କରି ହୋ ହଲ୍ଲା କରିବାରୁ କୁଆଡେ ସେମାନଙ୍କୁ କିଛି ଟଙ୍କା ଦେଇ ଧମକ ଚମକ ଦେଇ ମୁହଁ ବନ୍ଦ କରିଦେଇଥିବା ଆଲୋଚନା ହେଉଥିବା ବେଳେ କେସକୁ ରଫାଦଫା କରିଦେବା ପାଇଁ ମଧ୍ୟସ୍ଥି ଜରିଆରେ ପ୍ରୟାସ ଚାଲିଛି ବୋଲି ଆଲୋଚନା ହେଉଛି । ଡ୍ରାଇଭିଂ ଲାଇସେନ୍ସ ନଥିବା ଅନଭିଜ୍ଞ ଡ୍ରାଇଭର ଓ ବିନା ଡକ୍ୟୁମେଣ୍ଟରେ ଦୀର୍ଘଦୀନ ଧରି ଚାଲିଆସୁଥିବା ଟ୍ରାକ୍ଟର ଯୋଗୁଁ ଏଭଳି ଅଘଟଣ ଘଟି ଜଣକ ପ୍ରାଣହାନୀ ଘଟିଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ଏନେଇ ନର୍ଲା ପୋଲିସ କେସ ନଂ- ୨୦୧ ରେ ଏକ ମାମଲା ରୁଜ୍ଜୁ କରି ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡିଛି । ଘଟଣା ଘଟି ଗୋଟିଏ ଦିନ ଅତିକ୍ରାନ୍ତ ହେବାକୁ ବସିଲାଣି ହେଲେ ଦୁର୍ଘଟଣା ଘଟାଇ ଥିବା ଉକ୍ତ ଟ୍ରାକ୍ଟରଟିକୁ ପୋଲିସ ଏଯାଏଁ ଜବତ କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏବିଷୟରେ ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କ ମତାମତ ନେଵାରୁ ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ ପାଇଁ ମ.ରାମପୁର ପଠା ଯାଇଛି । ଘଟଣା ସ୍ଥଳରେ ଟ୍ରାକ୍ଟରକୁ ରଖାଯାଇଛି। ତଦନ୍ତ ଚାଲିଛି। ଦୃଢ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ଏଇଠି ପ୍ରଶ୍ନ ଉଠୁଛି ମୃତକ ସଂଜୁକୁ ନ୍ୟାୟ ମିଳିବ ତ ???? ନା ଏଇଟା ବି ଚାପ ଓ ତାପ ଫଳରେ ଫାଇଲ ତଳେ ଚାପି ହୋଇଯିବ ??

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.