ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବେ ଚାଲିଛି ପାର୍ବଣ ଋତୁ। ଜନସାଧାରଣ ପରିବାରବର୍ଗଙ୍କ ପାଇଁ ନୂଆ ଲୁଗା କିଣୁଛନ୍ତି। ଏଥିପାଇଁ କିଛି କପଡ଼ା ବ୍ୟବସାୟୀ ଅଧିକ ଲାଭଖୋର ମନୋବୃତ୍ତି ନେଇ ଶସ୍ତା କପଡ଼ା ଉପରେ ଅସଲି ନାମୀ ଦାମୀ ବ୍ରାଣ୍ଡର ଷ୍ଟିକର ଓ ଲୋଗୋ ଲଗାଇ ଗ୍ରାହକଙ୍କୁ ବିକ୍ରି କରି ଠକୁଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନର ଚିତ୍ର ସାମ୍ନାକୁ ଆସିଛି। ତେବେ କଳାହାଣ୍ଡି ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିରେ ମଧ୍ୟ ଏଭଲି ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଲାଣି। ରୁପ୍ରାରୋଡର ଜୈନେକ ପୁରୁଣା ବ୍ୟବସାୟୀ ଅଧିକ ଟଙ୍କା ପାଇବା ଆଶାରେ ଗ୍ରାହକଙ୍କୁ ଏପରି ଢଙ୍ଗରେ ଠକି ଚାଲିଥିବା ସନ୍ଦେହ କରାଯାଉଛି। ରୁପ୍ରାରୋଡର ନିର୍ଦ୍ଧିଷ୍ଟ କପଡ଼ା ବ୍ୟବସାୟୀ ନିଜ ଗୋଦାମରେ ଶସ୍ତା କପଡ଼ା ଉପରେ ଅସଲି ନାମୀ ଦାମୀ ବ୍ରାଣ୍ଡର ଷ୍ଟିକର ଓ ଲୋଗୋ ଲଗାଇ ଦେକାନରେ ଗ୍ରାହକଙ୍କୁ ବିକ୍ରି କରୁଥିବା ଜଣାପଡିଛି। ଏହିସବୁ କପଡ଼ା ମଧ୍ୟରୁ ଅଧିକାଂଶ ପ୍ୟାଣ୍ଟ, ସାର୍ଟ ରୁପ୍ରାରୋଡରେ ହିଁ ନିଜସ୍ଵ ଟେଲର ମସିନରେ ସିଲାଇ କରାଯାଇ ନାମି ବ୍ରାଣ୍ଡ ଭାବେ ଗ୍ରାହକଙ୍କୁ ଭକୁଆ ବନାଉଥିବା ଆଲୋଚନା ହେଉଛି। ଏହି କପଡ଼ାକୁ କିଣି ବ୍ୟବହାର କଲେ ଅଳ୍ପ ଦିନ ଭିତରେ ରଙ୍ଗ ଛାଡି ଯାଉଥିବାବେଳେ କପଡ଼ା ମଧ୍ୟ ଫାଟି ଯାଉଛି। ରୁପ୍ରାରୋଡର ନିର୍ଦ୍ଧିଷ୍ଟ କପଡ଼ା ବ୍ୟବସାୟୀ ଏହି କାରବାର ଚାଲାଇ ଥିବାବେଳେ ଖାସ୍ କରି ଜିନ୍ସ ପ୍ୟାଣ୍ଟ୍ ଓ ସାର୍ଟ ଉପରେ ଲୋକେ ଅଧିକ ପରିମାଣରେ ଠକାମୀର ଶିକାର ହେଉଥିବା ଆଲୋଚନା ହେଉଛି। ଅସଲୀ ବ୍ରାଣ୍ଡ ଭାବି ଲୋକେ କିଣାକିଣି କରୁଥିବାବେଳେ ସେହି କପଡ଼ା ଅସଲୀ କି ନକଲି ବୋଲି ଚିହ୍ନିବା ମଧ୍ୟ ଏତେ ସହଜ ନୁହେଁ। ଅସଲୀ ନାମିଦାମୀ ବ୍ରାଣ୍ଡର ଷ୍ଟିକର ଓ ଲୋଗୋ ଲଗାଇ ଗ୍ରାହକଙ୍କୁ ଠକୁଥିବାବେଳେ ଏହି ବ୍ୟବସାୟୀଙ୍କ ଯୋଗୁଁ ସରକାରଙ୍କ ଲକ୍ଷାଧିକ ରାଜସ୍ୱ ହାନୀ ମଧ୍ୟ ହୋଉଛି। ଏହି ବ୍ୟବସାୟୀଙ୍କ ଲମ୍ବା ହାତ ଥିବାରୁ କୌଣସି ଆଖିଦୃଶିଆ ଚଢ଼ାଉ ହୋଇ ପାରିନାହିଁ, ଯାହା ଫଳରେ ଦୀର୍ଘ ବର୍ଷରୁ ବେଫିକର ଭାବେ ସେ ଏହି କାରବାର ଚାଲାଇ ଆସୁଥିବା ଚର୍ଚ୍ଚା ହେଉଛି। ଏପରି ବ୍ୟବସାୟୀଙ୍କ ପାଇଁ ରୁପ୍ରାରୋଡ ବଦନାମ ହେବାସହ ନୂଆଖାଇରେ ଏହି ବସ୍ତିର ବେପାର ମାନ୍ଦା ରହିଥିବା ଜଣାପଡିଛି। ଯେଉଁମାନେ ଏହି ସ୍ଥାନର କପଡ଼ା ବ୍ୟବହାର କରି ଠକେଇର ଶିକାର ହୋଇଛନ୍ତି ସେମାନେ ଆଉ ଏଠାକୁ ନଆସି ନର୍ଲା, କେସିଙ୍ଗା ଆଦି ସହରକୁ ଯାଇ କିଣାକିଣି କରିଥିବା ଦେଖା ଯାଇଥିଲା। ତେଣୁ ଏ ଦିଗରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେଇ ବ୍ୟବସାୟୀଙ୍କ ଦେକାନ, ପ୍ରତିଷ୍ଠାନ ଓ ଗୋଦାମ ଉପରେ ଚଢ଼ାଉ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।