ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପୁଣି ଆନ୍ଦୋଳନର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ l ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଗୋଟିଏ ମାତ୍ର ଦାବି ଗ୍ରେଡ ପେ ୪୨୦୦/- ପାଇଁ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ଓଡିଶା ଟ୍ରେଜେରୀ ଅମଲା ସଂଘ ଏବଂ ଓଡ଼ିଶା ଉପନିବନ୍ଧକ ଅମଲା ସଂଘଙ୍କୁ ନେଇ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଗଠନ ହୋଇଥିଲା l ଗତ ଏପ୍ରିଲ ମାସ ୨୨ ତାରିଖ ଦିନ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିରିଶ ଗୋଟି ଜିଲ୍ଲାପାଳଙ୍କ ଜରିଆରେ ଗୋଟିଏ ମାତ୍ର ଦାବି ୪୨୦୦/- ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ତା’ପରେ ମେ ମାସ ୧ ତାରିଖ ଦିନ ରାଜ୍ୟ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଦାବି ପୂରଣ ନ ହେବାରୁ ସଙ୍ଘର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୨୦୨୩ ମେ ମାସ ୨୨ ତାରିଖ ଠାରୁ ୨୦୨୩ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା କଳା ବ୍ୟାଜ୍ ପରିଧାନ କରିଥିଲେ ଏବଂ ୩୧ ମେ ସୁଦ୍ଧା କୌଣସି ଦାବି ପୂରଣ ନ ହେବାରୁ ୧ ଜୁନ ୨୦୨୩ ଠାରୁ ୧୭ ଜୁନ ୨୦୨୩ ପର୍ଯ୍ୟନ୍ତ ସମସ୍ତେ ସମୁହ ଛୁଟିରେ ଥିଲେ l ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ବ୍ୟାପକ ଆଲୋଚନା, ବିଚାର ବିମର୍ଷ ଏବଂ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ୨୦୨୩ ଜୁନ ୧୮ ତାରିଖରେ ମିଳିତ ଅମଲା ମଞ୍ଚ ତାହାର ଆନ୍ଦୋଳନକୁ ସ୍ଥଗିତ ରଖିଥିଲା l ଦୀର୍ଘଦିନ ବ୍ୟବଧାନ ପରେ ମଧ୍ୟ ମିଳିତ ମଞ୍ଚର ଏକ ମାତ୍ର ଦାବି ୪୨୦୦/- ପୂରଣ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରିବା ତଥା ଏହି ଦିଗରେ ସରକାରଙ୍କ ରହିଥିବା ଅହେତୁକ ଉଦାସୀନତାକୁ ଦୃଷ୍ଟିରେ ରଖି ଗତ କାଲି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଜିଲ୍ଲା ଶାଖା ସୁବର୍ଣ୍ଣପୁର ର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ତରଶିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ଗୋଟିଏ ମାତ୍ର ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଉଦାସୀନତା ଉପରେ ଉପସ୍ଥିତ ଥିବା ସମସ୍ତ ସଭ୍ଯ, ସଭ୍ୟା ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ସ୍ଥଗିତ ରଖାଯାଇଥିବା ଆନ୍ଦୋଳନକୁ ପୁନର୍ବାର ଆରମ୍ଭ କରିବା ପାଇଁ ମତ ପ୍ରକାଶ ପାଇଥିଲା ଏବଂ ଏଥି ନିମନ୍ତେ ରାଜ୍ୟ ମିଳିତ ଅମଲା ମଞ୍ଚର ଆସନ୍ତା ୧୧.୧୦.୨୦୨୩ ତାରିଖରେ କଟକ ଠାରେ ହେବାକୁ ଥିବା ବୈଠକରେ ସରକାରଙ୍କୁ ଚରମ ପତ୍ର ଦେବା ପାଇଁ ରାଜ୍ୟ ସଂଘକୁ ଅନୁରୋଧ ଜଣେଇବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମିଳିତ ଅମଲା ମଞ୍ଚର ଆବାହକ ଦିନେଶ ରଞ୍ଜନ ମିଶ୍ର, ରାଜସ୍ବ ଅମଲା ସଂଘର ଜିଲ୍ଲା ଅଧ୍ୟକ୍ଷ ନିଳାମ୍ବର ଶତପଥୀ, ସଭାପତି ଜ୍ୟୋତିରଂଜନ ଦାନୀ, ସମ୍ପାଦକ ବନମାଳୀ ମେହେର, ଓଡ଼ିଶା ଅମଲା ସଂଘ, ସୁବର୍ଣ୍ଣପୁର ଜିଲ୍ଲା ଶାଖାର ମୁଖ୍ୟ ଉପଦେଷ୍ଟା ଛନ୍ଦା ଚରଣ ମିଶ୍ର, ଅଧ୍ୟକ୍ଷ ଦିଲ୍ଲୀପ କୁମାର ପାଣିଗ୍ରାହୀ, ସାଂଗଠନିକ ସଂପାଦକ ସ୍ୱରୂପ ରଞ୍ଜନ ପୂଜାରୀ, ସଞ୍ଜୀବ ବାବୁ, ହେରମ୍ବ ପ୍ରସାଦ ସାହୁ, ସୂର୍ଯ୍ୟ ନାରାୟଣ ପୁରୋହିତ, ପ୍ରସନ୍ନ ବେହେରା, ମାନସୀ ଦାସ, ମାନଭଞ୍ଜନ ପଟ୍ଟନାୟକ, ରାକେଶ ପଧାନ, ଗୌରିଶଙ୍କର ପାଣ୍ଡିଆ, ଜିତେନ୍ଦ୍ରିୟ ଦୀପ, ଜିତେନ୍ଦ୍ରିୟ ପାଠୀ, ମଚିନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ଥିଲେ।