ଆସୁଛନ୍ତି ଜଗତ ଜନନୀ ଦେବୀ ଦୁର୍ଗା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ପରେ ନୂଆଖାଇ ସରିଯାଇଛି । ନୂଆ ଧାନକୁ ନେଇ ନୂଆ ସପନ ଦେଖୁଛି ଚାଷୀ । ଏବେ ପାର୍ବଣରେ ଖୁସିର ଆସରା । ମାଙ୍କ ଆଗମନରେ ପୁଲକିତ ହେବ ଧରଣି । ନୂଆ ଧାନ ଉତ୍ପାଦନ ଆରମ୍ଭ ହୋଇଯାଇଛି । କୃଷି ଭିତ୍ତିକ ଚଳଣିରେ ଦେବୀ ହେଉଛନ୍ତି ଉତ୍ପାଦନର ପ୍ରତୀକ । ଦେବୀ ଦୁର୍ଗା ସର୍ବ ଶକ୍ତି ସ୍ୱରୂପା, ସେ ବୀରତ୍ବର ପ୍ରତୀକ । ଶରତ ଋତୁରେ ଧରଣୀ ବାନ୍ଧିଲାଣି କାଶତଣ୍ଡୀର ବେଣୀ । ଖୋସାରେ ଖୋସିଲାଣି ଧୋବ ଫରଫର ଫୁଲ । ମାଆ ଆସୁଛନ୍ତି, ଜଗତ ଜନନୀ ଧରାବତରଣ କରୁଛନ୍ତି, ଏହି ସୁସମ୍ବାଦ ନେଇ ବାଟେଘାଟେ ଫୁଟେ କାଶତଣ୍ଡୀ ଫୁଲ । ସନାତନ ଧର୍ମଧାରାରେ ଦେବୀ ପୂଜନର ଜଥେଷ୍ଟ ଗୁରୁତ୍ବ ରହିଛି । ଭାରତରେ ପ୍ରତିବର୍ଷ  ଦେବୀ ଦୁର୍ଗାଙ୍କର ପୂଜା ଦୁଇଥର ଅନୁଷ୍ଠିତ ହୁଏ । ବିଶେଷ କରି ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଓ ଏହା ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜଗତ ତିଷ୍ଠି ରହି ନିଜର ଜୀବିକା ନିର୍ବାହ କରି ଆସୁଛି, ସେହି ମା’ ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ଦେବୀ ଦୁର୍ଗାଙ୍କ ପୂଜାର ଆୟୋଜନ କରିଥାଏ । ଏହା ଏକ ସାର୍ବଜନୀନ ପୂଜା ହୋଇଥିବାରୁ ଶାରଦୀୟ ଦେବୀପୂଜା ଭାବେ ଲୋକପ୍ରିୟତା ଲାଭ କରିଛି । ଏହି ପର୍ବର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ମାତୃଶକ୍ତିର ଉପାସନା କରିବା । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.