ଭାଟଗୁଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା: ଜଣେ ଶ୍ରମିକ ମୃତ, ୪ ଆହତ, ବୋଲେରୋ ନଷ୍ଟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଥାନା ଛତ୍ରପୁର ପଞ୍ଚାୟତର ଭାଟଗୁଡ଼ା ଗାଁ ଶିବ ମନ୍ଦିର ନିକଟସ୍ଥ ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଞ୍ଚ ଜଣ ଶ୍ରମିକ ବସିଥିବା ବେଳେ ଦୁର୍ଘଟଣାରେ ବିରଞ୍ଚି ମାଝୀ(୪୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁସାରେ ରବିବାର ଅପରାହ୍ନ ସାଢ଼େ ୧ ଘଣ୍ଟା ସମୟରେ ପାଞ୍ଚ ଜଣ ଶ୍ରମିକ କମ୍ପାନୀର କାମ ସାରି କମ୍ପାନୀରେ ଭଡାରେ ଲାଗିଥିବା ଏକ ବୋଲେରୋ(ଓଡ଼ି-୦୨ଏକେ-୯୫୨୪)ରେ ହରେକୃଷ୍ଣପୁର ଠାରେ ଥିବା ନିଜ ବାସସ୍ଥାନକୁ ଫେରୁଥିଲେ। ବୋଲେରୋଟି ଦୃତ ଗତିରେ ଲାଞ୍ଜିଗଡ଼ରୁ ବିଶ୍ବନାଥପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରରେ ଫେରୁଥିବା ସମୟରେ ଭାଟଗୁଡା ଶିବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ଉପରେ ୩/୪ ପଲଟି ହୋଇଥିଲା। ଯାହା ଫଳରେ ବୋଲେରୋରେ ବସିଥିବା ପାଞ୍ଚ ଜଣ ଶ୍ରମିକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା କୁଟେନ ଗାଁର ବିରଞ୍ଚି ମାଝୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣଙ୍କ ମଧ୍ୟରୁ ଉକ୍ତ କେଟେନ୍ ଗାଁର ଦୟାନିଧି ମାଝୀ ଓ ବଲାଙ୍ଗୀର ଜିଲ୍ଲାର ଜ୍ୟୋତିରଞ୍ଜନ କୁମାର, ଆଶୁତୋଷ କୁମାର, ଟିକଚନ ସେଠୀ ଗୁରୁତର ହୋଇଛନ୍ତି। ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜୟଲଷ୍ମୀ ହିକକାଙ୍କ ନେତୃତ୍ୱରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ୫ ଜଣଙ୍କୁ ଲାଞ୍ଜିଗଡ଼ ସିଏଚସିକୁ ଆଣିବା ପରେ ଡାକ୍ତର ବିରଞ୍ଚିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଶ୍ରମିକମାନେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡର ସହଯୋଗୀ କଂପାନୀ ପିଏପିଏଲ୍ ରେ କାମ କରୁଥିବା ପାଞ୍ଚଜଣ ବ୍ୟକ୍ତି ଜଣାପଡିଛି। ବୋଲେରୋରେ ସ୍ଥାନୀୟ ହରେକୃଷ୍ଣପୁର ଗାଁର ରଘୁନାଥ ବିଶି ଡ୍ରାଇଭର ରହିଥିବା ବେଳେ ସେ ସୁରକ୍ଷିତ ଅଛନ୍ତି।ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରୁଥିବା ବେଳେ ଚାଳକଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଖବର ପାଇ ମୃତକଙ୍କ ପରିବାର ପହଞ୍ଚିଥିବା ବେଳେ ଆଜି (ସୋମବାର) ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.